ବିଜେଡିରେ ଅଣନିଃଶ୍ବାସୀ ହେବାରୁ ପଦ୍ମ ଧରିଲେ ତ୍ରିନାଥ

ଝାରସୁଗୁଡ଼ା ଅଫିସ,୫।୩: ଝାରସୁଗୁଡ଼ା ଜିଲାରେ ଦଳୀୟ ଅସନ୍ତୋଷକୁ ନେଇ ଅଣନିଃଶ୍ୱାସୀ ହେବାରୁ ଆଗଧାଡ଼ିର ନେତୃବୃନ୍ଦ ଦଳ ଛାଡି ଅନ୍ୟ ଦଳରେ ଯୋଗଦେଉଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ବିଜେଡି ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ ଶନିବାର ଦଳଛାଡି ଭାଜପାରେ ଯୋଗ ଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜେଡିରେ ଦୀର୍ଘ ୩୦ ବର୍ଷ ଧରି ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲି। ଏପରି କି ଜୀବନବିନ୍ଦୁ ଜିଲା ସଂଯୋଜକ, ପୂର୍ବତନ କାଉନ୍‌ସିଲର ମଧ୍ୟ ଥିଲି। ୨୦୧୯ରେ ଝାରସୁଗୁଡ଼ା ଜିଲାରେ ବିଜେଡିର ସମୀକରଣ ହୋଇଥିଲା । ପରବର୍ତ୍ତୀ ସମୟରେ ଦଳରେ ମୋତେ ଅସମ୍ମାନ ଓ ଅଣଦେଖା କରାଗଲା । ତଥାପି ଦଳରେ ଥାଇ କର୍ତ୍ତବ୍ୟ ସମ୍ପାଦନ କରିଆସୁଥିଲି। କିନ୍ତୁ ଦଳୀୟ କନ୍ଦଳ ଅସହ୍ୟ ହେବାରୁ ଅଣନିଃଶ୍ବାସୀ ହୋଇ ଦଳଛାଡି ଭାଜପାରେ ଯୋଗ ଦେଇଛି। ମୁଁ ଜଣେ ଶୃଙ୍ଖଳିତ କର୍ମୀ। ଭାଜପାରେ ରହି ଲୋକଙ୍କ ସେବା କରିବି ବୋଲି ତ୍ରିନାଥ କହିଛନ୍ତି।

ଝାରସୁଗୁଡ଼ା ବେହେରାମାଲସ୍ଥିତ ଭାଜପା ଜିଲା କାର୍ଯ୍ୟାଳୟରେ ଜିଲା ସଭାପତି ମଙ୍ଗଳ ସାହୁଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଦୀନେଶ ଜୈନ, ବିମଳେନ୍ଦୁ ଭୋଳ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ।