ନିଲମ୍ବିତ ହେଲେ ବିଜେଡି ଛାତ୍ର ସଭାପତି

ଝାରସୁଗୁଡ଼ା ଅଫିସ/ବଜରାଜନଗର(ଡି.ଏନ.ଏ.),୪ା୩: ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ବ୍ରଜରାଜନଗର ପୌରାଞ୍ଚଳ ବିଜୁ ଛାତ୍ର ଜନତା ଦଳ ସଭାପତି ସରୋଜ କୁମାର ଶାହଙ୍କୁ ଦଳରୁ ନିଳମ୍ବିତ କରାଯାଇଛି। ଏ ନେଇ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ପଳାସ କର୍ମକାର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ସଭାପତି ଶାହ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ବ୍ରଜରାଜନଗର ୧୦ନମ୍ବର ଓ୍ବାର୍ଡରୁ କାଉନସିଲର ଭାବେ ଦଳରୁ ପ୍ରାର୍ଥୀ ହେବାକୁ ଦାବିକରି ସେ ବିଜେଡି ଟାଉନ ସଭାପତି ଓ ବିଜେଡି ଜିଲା ସାଧାରଣ ସମ୍ପାଦକଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏ ସମ୍ପର୍କରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ପରାମର୍ଶ ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସଭାପତି ଶାହଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଫୋନ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ ।