ଭାଜପା ଉପରେ ବର୍ଷିଲା ବିଜେଡି: ପ୍ରତିଶ୍ରୁତି ପ୍ରଥମ ପାଳନ କରୁ…

ଭୁବନେଶ୍ୱର,୨ା୭(ଅନିଲ ଦାସ):ରାଜ୍ୟରେ କ୍ଷମତାକୁ ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣକୁ ପ୍ରାଥମିକତା ଦିଆଯିବ ବୋଲି ଭାଜପା ସରକାର ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ସୋମବାର ବିଜେଡି ପ୍ରତିକ୍ରିୟା ରଖିଛି। ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ଆଜି ହେଉଛି ଜୁଲାଇ ୧ ତାରିଖ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ଜୁଲାଇରୁ ବିଜୁଳି ବିଲ୍‌ ଦେବାକୁ ପଡିବନି। ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ। ତେବେ ନିର୍ବାଚନ ପ୍ରଚାର ସମୟରେ ଭାଜପା ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଭାଜପା ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ପ୍ରତାପ ଦେବ କହିଛନ୍ତି। ଭାଜପା କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନିର୍ବାଚନୀ ପ୍ରତିଶ୍ରୁତିକୁ ଆଗ ପାଳନ କରାଯିବ ବୋଲି କହୁଛନ୍ତି। ସେହି ଆଧାରରେ ଗତ ୫ ତାରିଖରୁ ଏପର୍ଯ୍ୟନ୍ତ ମାଗଣା ବିଜୁଳି ନେଇ କେହି ମୁହଁ ଖୋଲିନାହାନ୍ତି। କିନ୍ତୁ ସରକାରଙ୍କୁ ବିଜେଡି ଏ ବାବଦରେ ମନେପକାଇ ଦେଉଛି। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଯେପରି ପାଣିର ଗାର ପାଲଟି ନ ଯାଉ ବୋଲି ପ୍ରତାପ କହିଛନ୍ତି। ଏଥିସହ ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍କିମ୍‌। ତାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ଏହା ଲୋକାଭିମୁଖୀ ଯୋଜନା। ନୂଆ ସରକାର ଏ ବାବଦରେ ଟିପ୍ପଣୀ ଦେଇନାହାନ୍ତି। ଭବିଷ୍ୟତରେ କ’ଣ ହେବ ତାହା ସରକାରଙ୍କ ନିଷ୍ପତ୍ତି ବୋଲି ପ୍ରତାପ ଦେବ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ନେତାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତି, ଭାଜପାର ସଙ୍କଳ୍ପପତ୍ରକୁ ବିଜେଡି ନେତା ଠିକ୍‌ ଢଙ୍ଗରେ ପଢ଼ିନାହାନ୍ତି। ମୋଦି ଯାହା କହନ୍ତି, ତାହା କରନ୍ତି।

Share