Advertisement

ମିଶିବା ଆଗରୁ ସନାତନଙ୍କୁ ବିଜେଡି ଟିକେଟ

କେନ୍ଦୁଝର,୨୧ା୪ (ନରେଶ ଚନ୍ଦ୍ର ପଟ୍ଟନାୟକ)ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ସହଯୋଗୀ ମୀନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରି ଜିତାଇଥିଲେ। ତେବେ ଚଳିତ ନିର୍ବାଚନରେ ମୀନାକ୍ଷୀଙ୍କ ଟିକେଟ କାଟି ବିଜେଡି ସନାତନଙ୍କୁ ପ୍ରାର୍ଥୀ କରିଛି। ସନାତନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦଳରେ ମିଶିବା ଆଗରୁ ତାଙ୍କୁ ପ୍ରାର୍ଥୀ କରାଯିବା ସମସ୍ତଙ୍କୁ ଆଚମ୍ବିତ କରିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଛଛି, ସନାତନ ଭାଜପାରେ ବି ମିଶିବା ନେଇ ଦଳୀୟ ନେତା ଓ କର୍ମୀମାନେ ଆଶା ବାନ୍ଧିଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିବା ପରେ ଭାଜପା ଶିବିରରେ ନୈରାଶ୍ୟ ଖେଳିଯାଇଛି। ବିଜେଡି ଟିକେଟ ଦେଇଥିବାରୁ ଧନ୍ୟବାଦ ଦେବା ସହ ଦଳ ଭିତରେ ରହି କାମ କଲେ ଅଧିକ କାମ କରିପାରିବେ ବୋଲି ସନାତନ କହିଛନ୍ତି। କଂଗ୍ରେସରେ ରାଜନୀତି ଜୀବନ ଆରମ୍ଭ କରିଥିବା ସନାତନ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ଭାବରେ ୨ ଥର ନିର୍ବାଚନ ଲଢ଼ିଥିଲେ। ୨୦୦୯ରେ ହାରିଥିବା ବେଳେ ୨୦୧୪ରେ ଜିତିଥିଲେ। ୨୦୧୯ରେ ପ୍ରାର୍ଥୀ ନ ହୋଇ ତାଙ୍କ ସମର୍ଥିତ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକ ସଭା ଏବଂ ମୀନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆ ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀ କରି ଜିତାଇଥିଲେ।
କେନ୍ଦୁଝର ରାଜନୀତିରେ ପ୍ରଭାବଶାଳୀ ଥିବା ସନାତନ କିଛି ବର୍ଷ ହେଲା ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ଏବେ କ୍ଷମତାସୀନ ବିଜେଡିରୁ ଟିକେଟ ପାଇଥିଲେ ମଧ୍ୟ  ତାଙ୍କ ପାଇଁ ବିରୋଧୀଙ୍କ ରଣକୌଶଳ, ଦଳୀୟ ନେତାଙ୍କ ବିରୋଧ, ବ୍ୟବସାୟିକ ପ୍ରତିଯୋଗୀଙ୍କ ଗୋଟିଚାଳନା ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ସେହିପରି ପୂର୍ବରୁ ବିରୋଧ କରିଆସୁଥିବା ଦଳୀୟ ସ୍ବାଭିମାନୀ ନେତା ଓ କର୍ମୀ ତାଙ୍କର ପ୍ରାର୍ଥିତ୍ୱକୁ କିଭଳି ଗ୍ରହଣ କରିବେ ଓ ଜିତାଇବାକୁ ଆଗେଇ ଆସିବେ ତାହା ମଧ୍ୟ ଦେଖିବାକୁ ବାକି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share