ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ଆପଣେଇବାକୁ ଭାଜପା ଆଗଭର: ବିଜେଡି

ଭୁବନେଶ୍ୱର,୧୨।୧୧(ଅନିଲ ଦାସ): ଯେଉଁ ନେତାଙ୍କୁ ବିଜେଡି ଦଳରୁ ବିଦାକରି ଦେଇଛି ତାଙ୍କୁ କୋଳେଇ ନେବା ପାଇଁ ଏବେ ଭାଜପା ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାଜପାରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ ନେତା ସୃଷ୍ଟି କରିପାରୁନାହାନ୍ତି। କାଲି ଯାହାକୁ ଦୁର୍ନୀତିଗ୍ରସ୍ତ କହି ଗାଳି ଦେଉଥିଲେ ଆଜି ତାଙ୍କୁ ନେବା ପାଇଁ ଭାଜପାକୁ ନିଦ ହେଉନାହିଁ ବୋଲି ବ୍ରହ୍ମପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ସଭାପତି ବିକ୍ରମ ପଣ୍ଡା କହିଛନ୍ତି।
ଶନିବାର ବ୍ରହ୍ମପୁରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଶୁଣିବାକୁ ମିଳୁଛି, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ମିଶିବାକୁ ଯାଉଛନ୍ତି ା ସେ ବିଜେଡିରୁ ଅତୀତରେ ତଡ଼ାଖାଇଥିବା ବେଳେ ଏବେ ଜାମିନରେ ଅଛନ୍ତି। ଏଭଳି ନେତାଙ୍କୁ କିଭଳି ଭାଜପା ଆପଣେଇବାକୁ ଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ଭାଜପା ନେତାମାନେ କିଭଳି ବିଶ୍ୱାସ କରୁଛନ୍ତି ବୋଲି ବିକ୍ରମ ପ୍ରଶ୍ନ କରିଛନ୍ତି।
ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଚାକିରି ଦେବାକୁ କହି ଠକିବା ପରେ ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିଜେଡି ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। କୋଭିଡ୍‌ ସମୟରେ ଲୋକେ ଖାଇବାକୁ ପାଉ ନ ଥିବାବେଳେ ସେ ଚାର୍ଟର୍ଡ ଫ୍ଲାଇଟରେ ବୁଲିବା ସହିତ ଦିନକୁ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚକରି ହୋଟେଲରେ ରହୁଥିଲେ। କରୋନା ସମୟରେ ସୁରଟରେ ଥିବା ଗଞ୍ଜାମବାସୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବା ବେଳେ ପାଣିଗ୍ରାହୀ ଏହାକୁ ଦୃଢ଼ ବିରୋଧ କରିଥିଲେ। ସେମାନେ କିଭଳି ଗଞ୍ଜାମ ନ ଫେରିବେ ସେଥିପାଇଁ ଷଡ଼ଯନ୍ତ୍ର କରିବା ସହିତ ଚାପ ପକାଉଥିଲେ ବୋଲି ବିକ୍ରମ କହିଛନ୍ତି।
ଏହି ଖବରଦାତା ସମ୍ମିଳନୀରେ ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଜିଲା ସଭାପତି ତଥା ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଉପସ୍ଥିତ ଥିଲେ।

Share