୨୦ରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଛି। କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା କରୁଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପ୍ରସଙ୍ଗରେ ଦଳ ତରଫରୁ ଆସନ୍ତା ୨୦ ତାରିଖରେ ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟାଳୟ ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଛନ୍ତି।
ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ନେହାଙ୍ଗିନୀ କହିଛନ୍ତି ଯେ, ଧାନ ସଂଗ୍ରହ କରିବା ଦାୟିତ୍ୱ କେନ୍ଦ୍ରର। ହେଲେ ରାଜ୍ୟ ଭାଜପା ନେତାମାନେ ଓଡ଼ିଶାବାସୀଙ୍କୁ ଏକଥା କହୁନାହାନ୍ତି। ୨୦୦୩-୦୪ରେ ୩୦ ଜିଲାରୁ ଧାନ ସଂଗ୍ରହ ନିଶ୍ଚିତ କରିବା ଲାଗି କେନ୍ଦ୍ରଠାରୁ ରାଜ୍ୟ ସରକାର ଦାୟିତ୍ୱ ନେଇଥିଲେ। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କରିବା କାର୍ଯ୍ୟକୁ ରାଜ୍ୟ ସରକାର କରୁଛନ୍ତି। ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ସରକାର ୭୭.୩୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିଛନ୍ତି, ଯାହାର ମୂଲ୍ୟ ୧୪,୪୪୬ କୋଟି ଟଙ୍କା। କେନ୍ଦ୍ର ସରକାର ଚଳିତ ଖରିଫ ଋତୁରେ ଖାଦ୍ୟ ସବ୍‌ସିଡି ବାବଦରେ ୩୮୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ସବ୍‌ସିଡି ବାବଦରେ ୧୧୧୭ କୋଟି ଟଙ୍କାକୁ ବାଦ୍‌ ଦେଲେ ଅନାଦେୟ ବ୍ୟାଙ୍କ ଋଣ ବାବଦରେ ୬୫୭୦ କୋଟି ଟଙ୍କା ବାକିଆ ପଡିଛି। ଖାଦ୍ୟ ସବ୍‌ସିଡି ବାବଦରେ ଦୀର୍ଘଦିନ ଧରି ବାକିଆ ଗଡୁଥିବା ୬୫୭୦ କୋଟି ଟଙ୍କା କେନ୍ଦ୍ର ସରକାର ତୁରନ୍ତ ପ୍ରଦାନ କରନ୍ତୁ। ରାଜ୍ୟର ବଳକା ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ କେନ୍ଦ୍ର ସରକାର ଉଠାଇବା ଆବଶ୍ୟକ। କେନ୍ଦ୍ର ସରକାର ମାତ୍ର ୧୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇଥିବା ବେଳେ ୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ବର୍ତ୍ତମାନ ସୁଦ୍ଧା ପଡ଼ିରହିଛି। ତୁରନ୍ତ ଏହି ବଳକା ଚାଉଳକୁ କେନ୍ଦ୍ର ସରକାର ଉଠାଇବା ପାଇଁ ବିଜେଡି ଦାବି କରିଛି। ବିଭିନ୍ନ କାରଣ ଯୋଗୁ ଖରିଫ ଧାନ ସଂଗ୍ରହ ସମୟ ଅବଧି ୩୦ ଜୁନ୍‌ରୁ ସେପ୍ଟେମ୍ବର ୩୦କୁ ବଢାଇବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କେନ୍ଦ୍ର ସରକାର ଏହାକୁ କେବଳ ଗୋଟିଏ ମାସ ପାଇଁ ବଢାଇଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଚାଷୀ ବିରୋଧୀ। ଏ ନେଇ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ସ୍ନେହାଙ୍ଗିନୀ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ।

Share