ମେଣ୍ଟ ନ କରି କ୍ଷତି ସହିଲା ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଏକଜିଟ ପୋଲ ବା ଭୋଟ ବାହୁଡା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସହ ଅଧିକାଂଶ ରାଜ୍ୟରେ ବହୁମତ ପାଇବା ନେଇ ଆକଳନ କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏକଜିଟ ପୋଲ ଅନୁସାରେ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ଭାଜପା ଅଧାରୁ ଅଧିକ ସିଟ୍‌ ଜିତି ଲୋକସଭାରେ ରେକର୍ଡ କରିବ ବୋଲି ଅନୁମାନ କରାଯାଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ଓଡ଼ିଶାର ଆଞ୍ଚଳିକ ତଥା କ୍ଷମତାସୀନ ଦଳ ବିଜୁ ଜନତା ଦଳ ଯଦି ଭାଜପା ସହ ମେଣ୍ଟ କରିଥାନ୍ତା ତେବେ ତାଙ୍କୁ ଆକଳନ ଅନୁସାରେ ଏପରି ପରାଜୟ ସହିବାକୁ ପଡିନଥାନ୍ତା।

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଭାଜପା ଓ ବିଜେଡି ମଧ୍ୟରେ ଭିତିରିଆ ମେଣ୍ଟ ସମ୍ପର୍କକୁ ନେଇ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଆଲୋଚନା ସଫଳ ହୋଇପାରି ନ ଥିଲା। ରାଜ୍ୟରେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ଘୋଷଣା କରିଥିଲା। ଏହାପରେ ରାଜ୍ୟରେ ଲୋକ ସଭା ଓ ବିଧାନସଭାରେ ଉଭୟ ଭାଜପା, ବିଜେଡି ଅଲଗା ଅଲଗା ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାର ପ୍ରକୃତ ରେଜଲ୍ଟ ଜୁନ ୪ରେ ଘୋଷଣା ହେବାକୁ ଥିବାବେଳେ ପ୍ରକୃତରେ କିଏ ବାଜିମାତ କରୁଛି ନା ବିଜେଡି ତା’ ୨୫ବର୍ଷ ଗଡ ରକ୍ଷା କରିପାରୁଛି ତାହା ଦେଖିବା ବାକି ରହିଲା। କିନ୍ତୁ ତା’ ପୂର୍ବରୁ ବିଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ବୁଥ ବାହୁଡା ମତ ଅନୁସାରେ ବିଜେଡିକୁ ରାଜ୍ୟରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ। ଆଉ ଭାଜପା ବଡ଼ ବିଜୟ ସହ ସରକାରକୁ ଆସିପାରେ। ତେବେ ସବୁ ଏକଜିଟ ପୋଲକୁ ନଜର ପକାଇ ଆସନ୍ତୁ ଜାଣିବା ବିଜେଡି ମେଣ୍ଟ କରିଥିଲେ ଲାଭରେ ରହିଥାନ୍ତା? ନା ଏକାକୀ ଲଢି କ୍ଷତି ସହିବାକୁ ଯାଉଛି।

ଓଡ଼ିଶାରେ ଲୋକ ସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଲୋକ ସଭା ଆସନ ସଂଖ୍ୟା ୨୧ ଥିବାବେଳେ ବିଧାନସଭା ଆସନ ୧୪୭ ରହିଛି। ତେବେ ଶନିବାର କରାଯାଇଥିବା ସମସ୍ତ ଏକଜିଟ ପୋଲ ସର୍ଭେରୁ ଜଣାପଡିଛି ଯେ ଭାଜପା ଲୋକ ସଭାରେ ୧୩ଟି ସିଟ ମିଳିବାକୁ ଥିବାବେଳେ ବିଜେଡିକୁ ୭ଟି ସିଟ୍‌ରେ ସନ୍ତୁଷ୍ଟ ରହିବାକୁ ପଡିପାରେ। ଗତ ଲୋକସଭା ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିଲା। କୁହାଯାଉଛି କି ଦଳ ଆଉ ଆଉ ୫ଟି ସିଟ ହାସଲ କରିପାରେ। ସେହିପରି ବିଜେଡିକୁ ଯେଉଁଠି ୧୨ଟି ଆସନ ମିଳିଥିଲା ଏବେ ସେ ୫ଟି ଆସନ କ୍ଷତି ସହିପାରେ। ତେବେ ଏହା ତ ଏକଜିଟ ପୋଲର ଭବିଷ୍ୟବାଣୀ, ପ୍ରକୃତ ଚିତ୍ର କ’ଣ ତାହା ଜୁନ ୪ରେ ଜଣାପଡିବ।

୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୨୦ଟି ହାତେଇଥିଲା। କିନ୍ତୁ ୨୦୧୯ରେ ବିଜେଡିକୁ ୮ଟି ଆସନ ହରାଇବାକୁ ପଡିଥିଲା। ଏଥିରେ ବିଜେଡିକୁ ୧୨ଟି ଆସନରେ କ୍ଷତି ସହିବାକୁ ପଡିଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ଏହାଦ୍ୱାରା ଭାଜପା ଉପକୃତ ହୋଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଭାଜପା କେବଳ ଗୋଟିଏ ଆସନ ପାଇଥିଲା, କିନ୍ତୁ ୨୦୧୯ରେ ଆଠଟି ସିଟ ହାତେଇଥିଲା। କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। ତେବେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜନତା ପୁଣି ଆସ୍ଥା ପ୍ରକଟ କରିବେ ନା ଭାଜପାକୁ ସୁଯୋଗ ଦେବେ ତାହା ଦେଖିବା ବାକି ରହିଲା।

Share