Categories: ରାଜ୍ୟ

‘କଂଗ୍ରେସ ସହ ଡିଲ୍‌ କରି ବିଜେଡି ପଦ୍ମପୁର ଉପନିର୍ବାଚନ ଜିତିଛି’

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍ୟ ବିନିମୟ ଜାରି ରହିଛି। ନିର୍ବାଚନର ଫଳାଫଳକୁ ନେଇ ଉଭୟ କଂଗ୍ରେସ ଓ ଭାଜପା ଆତ୍ମସମୀକ୍ଷା କରିବାକୁ କହୁଥିବା ବେଳେ ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସହିତ ଏକ ରାଜନୈତିକ ଡିଲ୍‌ କରି ବିଜେଡି ପଦ୍ମପୁର ବିଧାନସଭା ଉପନିର୍ବାଚନ ବିଜୟୀ ହୋଇଛି। କଂଗ୍ରେସ ସହିତ ବୁଝାମଣା ହେବା ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ପ୍ରଚାର କରିବା ପାଇଁ ଯାଇଥିଲେ ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି। ସେ ପ୍ରଚାରକୁ ଯିବା ପୂର୍ବରୁ ଭୁବନେଶ୍ୱରଠାରେ ଏହି ଡିଲ୍‌ ହୋଇଥିଲା। ଯାହା ମୋତେ ଖବର ମିଳିଛି ଉଭୟ ଦଳ ମଧ୍ୟରେ ଏକ ଡିଲ୍‌ ହୋଇଥିଲା। ତେବେ ଏଥିପାଇଁ କେତେ ଅର୍ଥ କାରବାର ହୋଇଥିଲା ସେ ନେଇ ଜୟନାରାୟଣ କୌଣସି ସୂଚନା ଦେଇନାହାନ୍ତି। ଏ ବିଷୟରେ ମୋ ପାଖରେ ଖବର ନାହିଁ ବୋଲି ସେ କହିଛନ୍ତି।

ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନିର୍ବାଚନ ହାରିବା ପରେ ଲୋକମାନଙ୍କ ମୁଣ୍ଡକୁ ବିଭିନ୍ନ ବିଭ୍ରାନ୍ତିକର କଥା ଜୁଟେ। ଏଭଳି କହି ମତଦାତାଙ୍କୁ ଅସମ୍ମାନ କରାଯାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ନିର୍ବାଚନ ହାରିବା ପରେ ନିଜର ମୁହଁ ଲୁଚାଇବା ପାଇଁ ବିରୋଧୀ ଦଳ ନେତା ସ୍ବାଭାବିକ ଭାବେ ଏମିତି କହିଥାଆନ୍ତି। ଭାଜପା ସହିତ ବିଜେଡି ଡିଲ୍‌ କରିଥିଲା ନା କଂଗ୍ରେସ ସହ ତାହା ଲୋକ ବୁଝିବା ଦରକାର। କଂଗ୍ରେସ ଦଳ କିମ୍ବା ଏହାର ନେତା ମୁଖ୍ୟମନ୍ତ୍ରୀଙ୍କ ସହିତ କେବେ ଆଲୋଚନା କରନ୍ତି ନାହିଁ ବୋଲି ସେ କହିଛନ୍ତି।

Share