ଭଦ୍ରକ ଅଫିସ,୬।୪: ଧାମନଗର ଏନଏସି ନିର୍ବାଚନ ଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଭାଜପାର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ସେ। ଏନ୍ଏସିର ୧୧ଟି ୱାର୍ଡରୁ ୯ ରେ ବିଜେଡି ଓ ୨ରେ ଭାଜପା ବାଜିମାତ କରିଛି ।
ପ୍ରକାଶ ଯେ, ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଭୋଟ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଧାମନଗର ଏନ୍ଏସିର ୨ ନଂ ୱାର୍ଡର ୩ ନଂ ବୁଥ, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍ରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାପରେ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ବେଳେ ବୁଧବାର ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିଲା।