ବାଲିଗୁଡ଼ା ଏନ୍‌ଏସିରେ ବିଜେଡିର ବାଜିମାତ୍‌ : ଖାତା ଖୋଲିପାରିଲାନି ଭାଜପା

ବାଲିଗୁଡ଼ା,୨୬ା୩(ଡି.ଏନ୍‌.ଏ.): ପୌର ନିର୍ବାଚନରେ ପୁଣି ବିଜେଡିର ବାଜିମାତ୍‌। କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ୫୯୯୧ ଭୋଟ୍‌ରେ ବିଜୟ ଲାଭ କରିଥିବା ବେଳେ ୧୧ଟି ଓ୍ବାର୍ଡ ଦଖଲ କରିଛି। ବ୍ଲକ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମସ୍ତ ଓ୍ବାର୍ଡ ବୁଲି ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବା ସହ ବାଲିଗୁଡ଼ା ସହରରେ ବିଜୟ ଉତ୍ସବ ପାଳିଛି ବିଜେଡି।

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୩ଟି ଓ୍ବାର୍ଡ ମଧ୍ୟରୁ ବିଜେଡି ୧୧  ଓ କଂଗ୍ରେସ ଦୁଇଟି ଓ୍ବାର୍ଡ ୧ ଏବଂ ୧୩ ନଂ. ଦଖଲ କରିଥିବା ବେଳେ ଭାଜପା ଖାତା ଖୋଲି ପାରିନାହିଁ। ଦୁଇ ଦୁଇଟି ଜାତୀୟ ଦଳକୁ ପଛରେ ପକାଇ ବିଜେଡି ୧ ନମ୍ବର ସ୍ଥାନ ଅଧିକାର କରିପାରିଛି। ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ମଧ୍ୟରେ ମୋଟ୍‌ ଭୋଟ୍‌ ୧୦୧୪୫ଟି ହୋଇଥିବା ବେଳେ ସେଥିମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ପ୍ରଧାନ(ବିଜେଡି), ୫୯୯୧ଟି ଭୋଟ୍‌, ଅନନ୍ତ ମାଝି (କଂଗ୍ରେସ ), ୨୪୫୭ଟି ଭୋଟ୍‌, କୁସୁମୀ ପ୍ରଧାନ (ଭାଜପା), ୧୫୧୭ଟି ଭୋଟ୍‌ ଏବଂ ନୋଟାରେ ୧୮୦ଟି ଭୋଟ୍‌ ପାଇଥିବା ଜଣାପଡ଼ିଛି l