Advertisement

ଭାଜପାରେ ଯୋଗଦେବାକୁ ଯାଇଥିବା ବିଜେଡି କର୍ମୀ କୋରାପୁଟ ଆସି ଭୁଲ୍‌ ମାଗିଲେ

କୋରାପୁଟ,୯।୧୧(ଅମିତାଭ ବେହେରା): କୋରାପୁଟ ବ୍ଲକ ଅଧୀନ କେନ୍ଦାର ପଞ୍ଚାୟତର ଦୁଇ ବିଜେଡି କର୍ମୀ ଭାଜପା ନେତା ରଘୁରାମ ମାଛଙ୍କ ସହ ଭୁବନେଶ୍ୱର ଯାଇଥିଲେ। ଗୁରୁବାର ସେମାନେ କୋରାପୁଟ ଫେରି ଭୁଲ୍‌ ମାଗିଛନ୍ତି।

କେନ୍ଦାର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୀତବାସ ଜାନୀ ଏବଂ ସମିତି ସଭ୍ୟାଙ୍କ ସ୍ବାମୀ ସୋମନାଥ ତୁରୁକ ରଘୁରାମଙ୍କ ସହ ଭୁବନେଶ୍ୱର ଯାଇଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କୁ ଭେଟିବାକୁ ଯିବା ପାଇଁ ରଘୁରାମ କହିବାରୁ ଆମେ ଭୁବନେଶ୍ୱର ଯାଇଥିଲୁ ବୋଲି ପୀତବାସ କହିଛନ୍ତି। ହେଲେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆମଙ୍କୁ ଭାଜପା ନେତାମାନେ ଦଳୀୟ ପତାକା ଧରାଇଥିଲେ। ତେଣୁ ଆମ୍ଭେ ଟ୍ରେନରେ କୋରାପୁଟ ଫେରି ଆସିଥିବା ପୀତବାସ କହିଛନ୍ତି।

ରଘୁରାମ ବିଜେଡିରୁ ବହିଷ୍କୃତ ହୋଇଥିବା ସେମାନେ ଜାଣିପାରି ନ ଥିଲେ। ତେଣୁ ଅଜାଣତରେ ସେମାନେ ତାଙ୍କ ସହ ଭୁବନେଶ୍ୱର ଯାଇଥିଲେ ବୋଲି କୋରାପୁଟ ବ୍ଲକ ବିଜେଡି ସଭାପତି ମଣ୍ଟୁ ବେନିଆ କହିବା ସହ କୋରାପୁଟ ବିଧାୟକଙ୍କ ନିକଟରେ ସେମାନେ ଭୁଲ୍‌ ସ୍ବୀକାର କରିଥିବା କହିଛନ୍ତି। ଆଗମୀ ଦିନରେ କର୍ମୀମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଭାଜପାରେ ଯୋଗଦେବା ନେଇ ସେମାନଙ୍କ ନାମ ରହିଥିଲା। ଫଳରେ ସେମାନେ ଭାଜପା ପତାକା ଧରିଥିଲେ ବୋଲି ଭାଜପା ନେତା ରଘୁରାମ ମାଛ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେମାନଙ୍କୁ ସରକାରୀ ଦଳର ନେତା ଅର୍ଥ ପ୍ରଲୋଭନ ଦେଖାଇଥିବାରୁ ସେମାନେ ଏପରି କହୁଥିବା ରଘୁରାମ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share