ଭାଜପା ବିରୋଧରେ ବିଜେଡିର ସାଂଘାତିକ ଅଭିଯୋଗ: ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି ରାଜଭବନ

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ନିକଟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିବା ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। ବିଜେଡି ପକ୍ଷରୁ ଝାଡ଼ଖଣ୍ଡ ନିର୍ବାଚନ ସହ ରାଜଭବନରେ ଯୋଜନା ଚାଲିଛି ବୋଲି ଦାବି କରାଯାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର କହିଛନ୍ତି, ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ସାଜିଛି। ଓଡ଼ିଶା ରାଜଭବନ ଏବେ ରାଜନୈତିକ ହବ୍‌ ପାଲଟିଛି। ହିମନ୍ତ ବିଶ୍ୱଶର୍ମା ଏବଂ ଭେଙ୍କୟା ନାଇଡୁ ନିକଟରେ ରାଜଭବନ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ଉଭୟ ନେତାଙ୍କୁ ଭେଟିଥିଲେ। ରାଜଭବନରୁ ଅଘୋଷିତ ନିର୍ଦ୍ଦେଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଗଲେ। ଚର୍ଚ୍ଚା ହେଉଛି ରାଜ୍ୟପାଳ ଝାଡ଼ଖଣ୍ଡ ନିର୍ବାଚନ ଲଢ଼ିବାକୁ ଯିବେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରେସ୍‌ରେ ରାଜ୍ୟପାଳ ଅଛନ୍ତି ବୋଲି ସସ୍ମିତ୍‌ କହିଛନ୍ତି।
କାଉଣ୍ଟରକରି ଭାଜପା ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ୨୪ ବର୍ଷ କ୍ଷମତାରେ ରହିବା ପରେ ଏବେ ଶାସନରୁ ପଳାଇଥିବାରୁ ବିଜେଡି ନେତାଙ୍କ ମତିଭ୍ରମ ହୋଇଗଲାଣି। ସେମାନଙ୍କୁ ସାମାନ୍ୟ ସୌଜନ୍ୟତା ବୁଝାପଡ଼ୁନାହିଁ। ବିଜେଡିରେ ଦିନକୁ ଦିନ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଭୁବନେଶ୍ୱରରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ନେତା ଓ କର୍ମୀମାନେ ଏବେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏଥିରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗକରି ବିଳିବିଳି ହେଉଛି। ନିଜ ଘରେ ରାଜନୈତିକ ଅଶାନ୍ତିର ଅସନ୍ତୋଷ ଘଟୁଥିବାବେଳେ ରାଜଭବନକୁ ‘ଫୋପଡ଼’ ପକାଇବାକୁ ବିଜେଡି ପ୍ରୟାସ କରୁଛି। ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମୀଚୀନ ହୋଇପାରେ। ଏହି ସାକ୍ଷାତକୁ ନେଇ ବିଜେଡିର ୨ ଜଣ ଏମ୍‌ପି ପ୍ରଶ୍ନ ଉଠାଇବାକୁ ଅସୌଜନ୍ୟତା କୁହାଯିବ। ଅତୀତରେ ନବୀନବାବୁଙ୍କୁ ଗୃହବନ୍ଦୀକରି ଅଣଓଡ଼ିଆ ଅଫିସରମାନେ ରାଜ୍ୟରେ ଶାସନ ଚଳାଉଥିଲେ। ସେତେବେଳେ ଏହି କୁହାଳିଆ ସାଂସଦମାନେ ଜଣେ ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରଙ୍କର ପଦଲେହନ କରୁଥିଲେ ବୋଲି ସେ କହିଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଝାଡ଼ଖଣ୍ଡ ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ନିକଟରେ ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ଲାଗି ୨ ଘଣ୍ଟିଆ ରାଜ୍ୟ ଗସ୍ତରେ ଆସିଥିଲେ। ଏହି ଅବସରରେ ଏହା ତାଙ୍କର ବ୍ୟକ୍ତିଗତ ସ୍ତରର ଆଲୋଚନା ଲାଗି ଭେଟଘାଟ, ଏହା ସହ ଝାଡ଼ଖଣ୍ଡ ନିର୍ବାଚନର କୌଣସି ସମ୍ପର୍କ ନ ଥିବା କହିଥିଲେ। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ରାଜଭବନରେ ଥିଲେ। ଏହାର କିଛିଦିନ ଭିତରେ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ଲାଗି ଯିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।