ଆଜି ବିଜେଡିର ପ୍ରଥମ ସଂସଦୀୟ ଦଳ ବୈଠକ: ନବୀନ ପ୍ରଥମଥର ପାଇଁ ହୋଇପାରନ୍ତି ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୮ା୬(ପି.ଟି.):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ହୋଇପାରନ୍ତି। ବୁଧବାର ହେବାକୁ ଥିବା ପ୍ରଥମ ସଂସଦୀୟ ଦଳ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି। ତାହା ଯଦି ହୁଏ, ତେବେ ୧୯୯୭ ମସିହାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ହେବେ।
ନବୀନ ୨୦୦୦ରୁ ୨୦୨୪ ଯାଏ ରାଜ୍ୟର ଶାସନ ଭାର ତୁଲାଇ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ବିରୋଧୀ ଦଳ ନେତା ହେଲେ ଅନ୍ୟ କାହାରିଙ୍କୁ ଉପନେତା ଭାବେ ନିର୍ବାଚିତ କରାଯାଇପାରେ। ରେଢ଼ାଖୋଲ ଆସନରୁ ଜିତିଥିବା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନୟାଗଡ଼ରୁ ଜିତିଥିବା ଅରୁଣ ସାହୁ ଓ ଆଳି ବିଧାୟକ ପ୍ରତାପ ଦେବଙ୍କ ମଧ୍ୟରୁ କେହି ଉପନେତା ହୋଇପାରନ୍ତି ବୋଲି ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ପ୍ରସନ୍ନ ଆଗରେ ଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଭାଜପା ୭୮ ଆସନ ଜିତିଥିବା ବେଳେ ବିଜେଡି ୫୧, କଂଗ୍ରେସ ୧୪, ସିପିଆଇ (ଏମ୍‌) ୧ ଓ ସ୍ବାଧୀନ ୩ଟି ଆସନ ହାସଲ କରିଥିଲେ।

Share