ବାଚସ୍ପତିଙ୍କୁ ବିଜେଡିର ବ୍ୟବହାର ଲଜ୍ଜାଜନକ: ଏଶ୍ୱର୍ଯ୍ୟା

ଭୁବନେଶ୍ୱର, ୨୪।୮(ସୁନିତ୍‌ ମିଶ୍ର): ବିଧାନସଭାରେ ବାଚସ୍ପତିଙ୍କୁ ବିଜେଡି ବିଧାୟକଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା ବଦଳରେ ବିରୋଧୀ ଦଳର ଏପରି ବ୍ୟବହାର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ମହିଳାଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର। ଗତ ୨୪ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅପରାଧ ସୀମା ଲଙ୍ଘିଥିଲା। ବିଜେଡି ସରକାର ସମୟରେ ମହିଳାଙ୍କ ପ୍ରତି ଯେଉଁଭଳି ଅପରାଧ ହୋଇଥିଲା, ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ସେପରି ହୋଇ ନ ଥିଲା। ଏହି ସରକାର ସମୟରେ ସାଇବର କ୍ରାଇମଠାରୁ ଆରମ୍ଭକରି ଅନ୍ୟାନ୍ୟ ମହିଳା ବିରୋଧୀ ଆପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ୧ନମ୍ବର ଥିଲା। ବିଜେଡି ସବୁବେଳେ ମହିଳାଙ୍କୁ ଅସମ୍ମାନ କରିଛି। ସେଥିପାଇଁ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଐଶ୍ୱର୍ଯ୍ୟା କହିଛନ୍ତି, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା। କ୍ଷମତାଚ୍ୟୁତ ହେବା ପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ କରିଛି। ମହିଳାଙ୍କୁ ଅସମ୍ମାନ କରିବା ସେମାନଙ୍କ ସ୍ବଭାବ ହୋଇଥିବାରୁ ବର୍ତ୍ତମାନ ମହିଳା ବାଚସ୍ପତିଙ୍କୁ ମାଡ଼ମାରିବା ପାଇଁ ବିଜେଡି ବିଧାୟକମାନେ ପୋଡିୟମ ଉପରକୁ ଚଢ଼ି ଆସିଥିଲେ। ସଭ୍ୟ ସମାଜରେ ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରାଯାଇ ନ ପାରେ। ବିଧାନସଭା ଭିତରେ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେଉ ନ ଥିବା ଦଳ ନିଜ ବିଧାନସଭା କ୍ଷେତ୍ରରେ ମହିଳାଙ୍କୁ କିପରି ସମ୍ମାନ ଦେଉଥିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ଭାଜପା ତୀବ୍ର ନିନ୍ଦା କରୁଛି। ମହିଳାଙ୍କୁ ଏପରି ଲଜ୍ଜାଜନକ ବ୍ୟବହାର କରିଥିବାରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ ବୋଲି ଏଶ୍ୱର୍ଯ୍ୟା କହିଛନ୍ତି।

Share