ଆଜି ରାଜ୍ୟବ୍ୟାପୀ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି

ଭୁବନେଶ୍ବର,୧୯।୪(ବ୍ୟୁରୋ): ଯେତେବେଳେ ସମ୍ବଲପୁରରେ ଶାନ୍ତି ଫେରୁଛି, ସେତିକିବେଳେ ରାଜ୍ୟ ଭାଜପା କେବଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ହିଂସା କରିବାକୁ ଉସୁକାଇବାର ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଭିନ୍ନ ସ୍ପର୍ଶକାତର ଘଟଣାରେ ଏହା ସଦାବେଳେ ଭାଜପାର ରଣନୀତି ରହି ଆସିଛି ବୋଲି ବିଜେଡି ଅଭିଯୋଗ କରିଛି।
ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି, ସମ୍ବଲପୁରରେ ଯେଉଁମାନେ ଗଣ୍ଡଗୋଳରେ ସମ୍ପୃକ୍ତ ଥିଲେ, ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଗିରଫଦାରି ମାମଲା ଜାରି ରହିଛି। ଯେଉଁମାନେ ହିଂସାକୁ ଉସୁକାଉଥିଲେ ସେମାନେ ମଧ୍ୟ ଆଇନର ସମ୍ମୁଖୀନ ହେବେ। ମାତ୍ର ଏଭଳି ସ୍ଥିତିରେ ହୀନ ରାଜନୈତିକ ଷଡ଼ଯନ୍ତ୍ର କରି ଭାଜପା ସାଢେ ୪ କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି। ଓଡ଼ିଶା ବିରୋଧରେ ଏହା ଭାଜପାର ସବୁଠୁ ବଡ଼ ଅପମାନ। ଏହାଛଡ଼ା ଯେତେବେଳେ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷା ଦେଉଛନ୍ତି, ଆପଣ ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି, ଏହାଠୁ ବଡ଼ ଦୁଃଖର କଥା ଆଉ କ’ଣ ହୋଇପାରେ। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧୯ ତାରିଖ ଅର୍ଥାତ୍‌ ବୁଧବାର ବିଜେଡି ରାଜ୍ୟବ୍ୟାପୀ ଶାନ୍ତି ଶୋଭାଯାତ୍ରା କରିବ ବୋଲି ସେ ସୂଚନା ଦେଇଛନ୍ତି।

Share