ଭାଜପା, ଏଏପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ପ୍ରିୟଙ୍କା

ଚଣ୍ଡିଗଡ଼,୧୬ା୨(ପି.ଟି.): ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ସେଠାରେ ପ୍ରଚାର ଜୋର୍‌ଦାର ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହେବା ସହ ଭାଜପା ଏବଂ ଆମ୍‌ ଆଦମୀ ପାର୍ଟି (ଏଏପି)କୁ କଡ଼ା ସମାଲୋଚନା କରିଛନ୍ତି। ଏମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଭାଜପା ପୂର୍ବରୁ ଗୁଜରାଟ ମଡେଲ୍‌ର ପ୍ରଚାର କରୁଥିଲା। ଏବେ ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଦିଲ୍ଲୀ ମଡେଲ ଉପରେ ପ୍ରଚାର ଚଳାଇଛନ୍ତି। ଭାଜପା ଏବଂ ଏଏପି ଲୋକଙ୍କୁ ନୂଆ ବ୍ରାଣ୍ଡ୍‌ର ରାଜନୀତି ପ୍ରତିଶ୍ରୁତି ଦେଇ ବିଭ୍ରାନ୍ତ କରାଉଛନ୍ତି। ଏଏପି ମଧ୍ୟ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ରୁ ସୃଷ୍ଟି ହୋଇଛି ବୋଲି ପ୍ରିୟଙ୍କା କହିଛନ୍ତି।
ଦିଲ୍ଲୀରେ ସ୍ବାସ୍ଥ୍ୟସେବା ଓ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ହୋଇଛି ଓ ଅଧିକ ନିଯୁକ୍ତି ଦିଆଯାଇଛି ବୋଲି ଏଏପି ଯେଉଁ ଦାବି କରୁଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ପ୍ରିୟଙ୍କା କହିଥିଲେ, ମଞ୍ଚରେ ପଗଡ଼ି ପିନ୍ଧିଲେ ଜଣେ ସର୍ଦ୍ଦାର ହୋଇଯିବେ ନାହିଁ। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ସହ ଟ୍ରାକ୍ଟରରେ ଯାଇ ପ୍ରିୟଙ୍କା ରୁପ୍‌ନଗର ଜିଲାର ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଥିଲେ। ଚନ୍ନି ମାତ୍ର ୧୧୧ ଦିନ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରିୟଙ୍କା ଅବତାରଣା କରି ତାଙ୍କର ପ୍ରଶଂସା କରିଥିଲେ। ବାହାରୁ ଆସି ନିଜକୁ ପଞ୍ଜାବୀ କହୁଥିବା ଲୋକଙ୍କୁ ଶିକ୍ଷା ଦେବା ପାଇଁ ସେ ଭୋଟରଙ୍କୁ ଆହ୍ବାନ ଦେଇଥିଲେ।

Share