ଦଲାଲଙ୍କ ପାଇଁ ଓକିଲାତି କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଧାନକିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଛନ୍ତି। ତେବେ କେତେଜଣ ଦଲାଲଙ୍କ ସହ ହାତ ମିଳାଇ ଓଡ଼ିଶା ଭାଜପା ସେମାନଙ୍କ ପାଇଁ ଓକିଲାତି କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ୨୦୧୮-୧୯ରେ ୬୫.୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଚାଷୀଙ୍କ ଖାତାକୁ ଏମ୍‌ଏସ୍‌ପି ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଛି। ୨୦୧୯-୨୦ରେ ଧାନସଂଗ୍ରହ ପରିମାଣ ୭୦.୫୬ ଲକ୍ଷ ମେଟ୍ରିକ ଟନ୍‌ ରହିଥିବାବେଳେ ୧୨,୮୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କ ସବୁ ଧାନ ସଂଗ୍ରହ କରିବାକୁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ। ଦିଲ୍ଲୀର ଚାଷୀ ଆନ୍ଦୋଳନରୁ ନଜର ହଟାଇବାକୁ ଏହା ଗୈରିକ ଦଳର ଡ୍ରାମା ବୋଲି ଓଡ଼ିଶାବାସୀ ବୁଝି ସାରିଲେଣି। ବିଜେଡି ଏମ୍‌ପିମାନେ ଗତ ଗୁରୁବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଆଲୋଚନା କରିଛନ୍ତି। ଚାଉଳ ସଂଗ୍ରହ, ସବ୍‌ସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି। ଭାଜପା ସଦସ୍ୟମାନେ ଓଡ଼ିଶା ପାଇଁ କ’ଣ କରିଛନ୍ତି ବୋଲି ଶ୍ରୀମୟୀ ପାଲଟା ଅଭିଯୋଗ କରିଛନ୍ତି।

Share