Categories: ଜାତୀୟ

ଭାଜପା ସମ୍ପତ୍ତି ୨୧% ବୃଦ୍ଧି

ନୂଆଦିଲ୍ଲୀ, ୫ା୯ (ପି.ଟି.):୮ଟି ଜାତୀୟ ରାଜନୈତିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ସେମାନଙ୍କ ସମ୍ପତ୍ତି ୮,୮୨୯ କୋଟି ୧୬ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ୨୦୨୦-୨୧ରେ ଏହି ପରିମାଣ ୭,୨୯୭ କୋଟି ୬୨ ଲକ୍ଷ ଥିଲା। ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ସଦ୍ୟ ପ୍ରକାଶ କରିଥିବା ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛି।
ଭାଜପା, କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଆଇ, ସିପିଆଇ(ଏମ୍‌), ଏଆଇଟିଏମ୍‌ସି ଏବଂ ଏନ୍‌ପିପି ଆର୍ଥିକ ବର୍ଷ ୨୦୨୦-୨୧ ଓ ୨୦୨୧-୨୨ ସକାଶେ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ୨୦୨୦-୨୧ରେ ଭାଜପା ତା’ର ସମ୍ପତ୍ତି ୪,୯୯୦ କୋଟି ଟଙ୍କା ଥିବା କହିଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ବଢ଼ି ୬,୦୪୬ କୋଟି ୮୧ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ଅର୍ଥାତ୍‌ ପୂର୍ବ ବର୍ଷ ତୁଳନାରେ ଭାଜପା ସମ୍ପତ୍ତି ୨୧.୧୭ ପ୍ରତିଶତ ବୃଦ୍ଧିପାଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ କଂଗ୍ରେସ ସମ୍ପତ୍ତି ୬୯୧ କୋଟି ୧୧ ଲକ୍ଷ ଥିବା ବେଳେ ୨୦୨୧-୨୨ରେ ଏହା ୧୬.୫୮ ପ୍ରତିଶତ ବଢ଼ି ୮୦୫ କୋଟି ଟଙ୍କା ହୋଇଛି। ବିଏସ୍‌ପି ହେଉଛି ଏକମାତ୍ର ଜାତୀୟ ଦଳ, ଯାହାର ବାର୍ଷିକ ସମ୍ପତ୍ତି ପରିମାଣ ହ୍ରାସ ପାଇଥିବା ଦର୍ଶାଇଛି। ୨୦୨୦-୨୧ ଏବଂ ୨୦୨୧-୨୨ ମଧ୍ୟରେ ଦେଖିଲେ ଏହାର ସମ୍ପତ୍ତି ପରିମାଣ ୭୩୨ କୋଟି ୭୯ ଲକ୍ଷରୁ କମି ୬୯୦ କୋଟି ୭୧ ଲକ୍ଷ ହୋଇଛି। ଅର୍ଥାତ୍‌ ୫.୭୪ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଟିଏମ୍‌ସିର ସମୁଦାୟ ସମ୍ପତ୍ତି ୧୫୧.୭୦ ପ୍ରତିଶତ ବଢ଼ିଛି। ୨୦୨୦-୨୧ରେ ଏହା ୧୮୨ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ବଢ଼ି ୪୫୮ କୋଟି ୧୦ ଲକ୍ଷରେ ପହଞ୍ଚତ୍ଛି।
ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ସମ୍ପତ୍ତି ୨୦୨୧-୨୨ରେ ୭୪ କୋଟି ୫୪ ଲକ୍ଷ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରେ ଥିଲା ୩୦ କୋଟି ୯୩ ଲକ୍ଷ ଟଙ୍କା। ସେହିପରି ସିପିଆଇ ସମ୍ପତ୍ତି ୨୦୨୦-୨୧ରେ ୧୪ କୋଟି ୫ ଲକ୍ଷ ଥିବା ବେଳେ ବଢ଼ି ପରବର୍ତ୍ତୀ ଆର୍ଥିକ ବର୍ଷରେ ୧୫ କୋଟି ୭୨ ଲକ୍ଷରେ ପହଞ୍ଚତ୍ଛି। ଅନୁରୂପ ଭାବେ ସିପିଆଇ(ଏମ୍‌) ସମ୍ପତ୍ତି ୨୦୨୦-୨୧ରେ ୬୫୪ କୋଟି ୭୯ ଲକ୍ଷ ଥିବା ବେଳେ ୨୦୨୧-୨୨ରେ ୭୩୫ କୋଟି ୭୭ ଲକ୍ଷ ହେଇଛି। ତେବେ କନ୍‌ରାଡ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)ର ୨୦୨୧-୨୨ ଆର୍ଥିକ ବର୍ଷରେ ସମ୍ପତ୍ତି ଅତି ସ୍ବଳ୍ପ ୧ କୋଟିି ୮୨ ଲକ୍ଷ ଥିବା ଏଡିଆର୍‌ ରିପୋର୍ଟ ପ୍ରକାଶ କରିଛି।

Share