ନୂଆଦିଲ୍ଲୀ,୨୦।୧୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ଜୋରଦାର ହଟ୍ଟଗୋଳ ହୋଇଛି। ମଙ୍ଗଳବାର ରାଜ୍ୟ ସଭାରେ ଖାର୍ଗେ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରିଛି। ଖାର୍ଗେ ଅଶ୍ଳୀଳ ଭାଷା ବ୍ୟବହାର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପୀୟୁଷ ଗୋୟଲ କହିଛନ୍ତି। ତାଙ୍କ ଅଶ୍ଳୀଳ ଭାଷଣକୁ ପୀୟୁଷ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କହିଛନ୍ତି, ଏ ହେଉଛି ନକଲି କଂଗ୍ରେସ। ଏହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କିମ୍ବା ମହାତ୍ମା ଗାନ୍ଧୀଙ୍କର କଂଗ୍ରେସ ନୁହେଁ। ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରିବା ସହ କହିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ, କଂଗ୍ରେସ ଅଧ୍ୟକ୍ଷ ଏତେ ନିମ୍ନସ୍ତରକୁ ଖସିପାରନ୍ତି। ଆଉ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେଇପାରନ୍ତି। ସେ ଜଣେ ରାଜନୈତିକ ଦଳର ନେତା ଭାବେ ନିଜର ଦାୟିତ୍ୱ ବୁଝିବା ଦରକାର। ଆମେ ଶତ୍ରୁ ନୁହଁ, ପ୍ରତିଦ୍ୱନ୍ଦ୍ୱୀ ବୋଲି ରିଜିଜୁ କହିଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ନିଜ ଶବ୍ଦରେ ଅଟଳ ରହିିଛନ୍ତି। ସୂଚନା ମୁତାବକ, ମଲ୍ଲିକାର୍ଜୁନ ଖାଗେର୍ର୍ ଭାଜପାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଅନେକ କଂଗ୍ରେସ ନେତା ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଛନ୍ତି, କିନ୍ତୁ ଭାଜପା ଲୋକଙ୍କ ଘରୁ ସ୍ବାଧୀନତା ସଂଗ୍ରାମରେ ‘କୁକୁର’ ମଧ୍ୟ ମରିନାହାଁନ୍ତି। ଆମେ ଦେଶକୁ ସ୍ବାଧୀନତା ଦେଇଛୁ ଏବଂ ଇନ୍ଦିରା ଓ ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, କିନ୍ତୁ ତୁମେ କ’ଣ କରିଛ ବୋଲି ଖାର୍ଗେ ଭାଜପାକୁ କହିଥିଲେ। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।