Categories: ଜାତୀୟ

କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିରେ ତାଙ୍କ ହାତ ରହିଛି। ଏହା ତାଙ୍କ ସ୍ବିକାରୋକ୍ତି। ନିଜକୁ ସଚ୍ଚୋଟ କହୁଥିବା କେଜ୍‌ରିଓ୍ବାଲ ନିହାତି ଅଲାଜୁକ ହୋଇ ଯାଇଛନ୍ତି ବୋଲି ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।

ଖବରଦାତାଙ୍କୁ ସମ୍ବୋଧିତ କରି ପାତ୍ର କହିଛନ୍ତି, କେଜ୍‌ରିଓ୍ବାଲ ଯେବେ ଶାସନ ଦାୟିତ୍ୱରେ ନ ଥିଲେ ସେତେବେଳେ ପ୍ରତିଦିନ କୌଣସି ନା କୌଣସି ନେତାଙ୍କ ବିଷୟରେ ଖୁଲାସା କରୁଥିଲେ। ସେମାନଙ୍କ ଉପରେ ବଡ଼ ଅଭିଯୋଗ ଆଣୁଥିଲେ। ତାଙ୍କ ପାଖରେ ପ୍ରମାଣ ଥିବା କହୁଥିଲେ। ଶୀଲା ଦିକ୍ଷୀତ, ରବର୍ଟ ଭଦ୍ରା, ଲାଲୁ ଯାଦବଙ୍କ ବିରୋଧରେ ଖୁଲାସା କରିଥିଲେ। ହେଲେ ଏବେ ସେ କଂଗ୍ରେସ ସହ ମିଶି ମେଣ୍ଟ କରିଛନ୍ତି। ଏଏପି ପ୍ରଶ୍ନ ଘେରକୁ ଆସିବା ପରେ ସେ ପଳାୟନ କରିଛନ୍ତି। ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି। ତେବେ କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର। ତାଙ୍କଠାରୁ ଏହା ଆରମ୍ଭ ହୋଇ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂହଙ୍କ ଯାଏ ପହଞ୍ଚିଛି। ଅନୁସନ୍ଧାନକାରୀ ସଂସ୍ଥା ନିକଟରେ ହାଜର ନ ହେବା ଏକପ୍ରକାର ତାଙ୍କ ଭୁଲର ସ୍ବିକାରୋକ୍ତିକୁ ଦର୍ଶାଉଛି।

କହିରଖୁଛୁ, ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ଇଡି ସମ୍ମୁଖରେ ହାଜର ହେବାକୁ ସମନ କରାଯାଇଥିଲା। ହେଲେ ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କେଜ୍‌ରିଓ୍ବାଲ କହି ସେ ତାହା କରିନାହାନ୍ତି। ଏଣୁ ପୁଣିଥରେ ତାଙ୍କୁ ସମନ ଜାରି କରାଯିବାର ସମ୍ଭାବନା ରହିଛି।

Share