Categories: ଜାତୀୟ

ତଥାପି ବାଜି ମାରିନେଲା ଭାଜପା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶ ଜିଲା ପଞ୍ଚାୟତ ଅଧ୍ୟକ୍ଷଙ୍କ ଭଳି ବ୍ଲକ୍‌ ପ୍ରମୁଖ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ମୋଟ ୮୨୫ ବ୍ଲକ୍‌ ପ୍ରମୁଖ ଆସନରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ। ସେଥିରୁ ୬୩୦ରୁ ଊର୍ଦ୍ଧ୍ୱ ଆସନରେ ଭାଜପା ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗ୍ରାମାଞ୍ଚଳରେ ଭାଜପା ନିଜର ବହୁଳ ଉପସ୍ଥିତିକୁ ପୁଣିଥରେ ପ୍ରମାଣିତ କରିପାରିଛି। ଶନିବାର ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ। ଏହା ପରେ ଭୋଟଗଣତି ଆରମ୍ଭ ହୋଇଥିଲା। ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବ୍ଲକ୍‌ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଗୁରୁତ୍ୱ ଦିଆଯାଉଛି।

ତେବେ ମତଦାନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହମିରପୁର ଜିଲାରେ ଭାଜପା କର୍ମୀମାନେ ସମାଜବାଦୀ ପାର୍ଟି କର୍ମୀମାନଙ୍କୁ ଆକ୍ରମଣ କରିବା ସହ ଭୋଟରମାନଙ୍କୁ ବୁଥ୍‌ ମଧ୍ୟକୁ ଛାଡ଼ି ନ ଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ବେଳେ ପୋଲିସ ଉପରେ ମାଡ଼ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ସେହିପରି ଚନ୍ଦାଉଲି, ଇଟାଓ୍ବା ଏବଂ ଅଯୋଧ୍ୟା ଜିଲାରେ ଭାଜପା ଏବଂ ସମାଜବାଦୀ ପାର୍ଟି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।

Share