Categories: ଜାତୀୟ

ବିହାର ରାଜନୀତିରେ ଟୁଇଷ୍ଟ: ନୀତିଶ କୁମାରଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା

ପାଟନା,୩୧।୩: ବିହାରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ସଭା ଯିବାକୁ ଇଛା ପ୍ରକାଶ କରିବା ପରେ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ବିହାର ସରକାରରେ ଜେଡିୟୁର ସହଯୋଗୀ ଭାଜପା ମଧ୍ୟ ନୀତିଶ କୁମାରଙ୍କୁ ରାଜ୍ୟ ସଭା ପଠାଇବାକୁ ସମର୍ଥନ କରିଛି। ଯଦି ନୀତିଶ କୁମାର ରାଜ୍ୟ ସଭା ଯାଆନ୍ତି ତେବେ ବିହାରରେ ଭାଜପା ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିହାର ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା ବିଧାୟକ ହରି ଭୂଷଣ ଠାକୁର କହିଛନ୍ତି, ଯଦି ନୀତିଶ ରାଜ୍ୟ ସଭାକୁ ଯିବାକୁ ଚାହାନ୍ତି ତେବେ ଭାଜପା ତାଙ୍କର ଏହି ଇଛା ପୂରଣ କରିବ। ସୂଚନାଯୋଗ୍ୟ, ବିହାରରେ ଆଇନ ବ୍ୟବସ୍ଥା ଓ ମଦ ବନ୍ଦ ଭଳିି ପ୍ରସଙ୍ଗକୁ ନେଇ ଦିନକୁ ଦିନ ନୀତିଶ କୁମାରଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଯାହାର ଲାଭ ଉଠାଇବାକୁ ଚାହୁଁଛି ଭାଜପା। ନୀତିଶ କୁମାରଙ୍କୁ ଜାତୀୟ ରାଜନୀତିକୁ ପଠାଇ ନିଜର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା କରୁଛି ଦଳ। ଏତଦ୍‌ ବ୍ୟତୀତ ଭାଜପା ମୁଖ୍ୟମନ୍ତ୍ରୀ ସହ ଜେଡିୟୁର ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ୨୦୨୦ ବିଧାନସଭା ନିର୍ବାଚନରେ ଭାଜପା ୭୪ ବିଧାୟକ ସହ ରାଜ୍ୟର ସବୁଠୁ ବଡ଼ ଦଳ ହୋଇଥିଲା। ନିକଟରେ ଭିଆଇପିର ୩ବିଧାୟକ ଭାଜପାରେ ସାମିଲ ହେବା ପରେ ବିଧାନସଭାରେ ଦଳର ସଂଖ୍ୟା ୭୭ରେ ପହଞ୍ଚିଛି।

Share