ଓଡ଼ିଶାରେ ଭାଜପା-ବିଜେଡି ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ, ଏହି ଫର୍ମୂଲାରେ ହୋଇପାରେ ଆସନ ବୁଝାମଣା !

ଭୁବନେଶ୍ୱର,୬।୩: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମଧ୍ୟରେ ମେଣ୍ଟ ସରକାର ଏକପ୍ରକାର ହେବା ନିଶ୍ଚିତ ବୋଲି କୁହାଯାଉଛି। ଏମିତି ହେଲେ ଉଭୟ ଦଳ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ। ଦିଲ୍ଲୀରେ ଅନୁଷ୍ଠିତ ଭାଜପାର କୋର୍‌ କମିଟି ବୈଠକ ପରେ ରୂପରେଖ ସ୍ପଷ୍ଟ ହେବ। ତେବେ ଭାଜପା ୧୩/୧୪ ଏବଂ ବିଜେଡି ୭/୮ ଆସନରେ ଲୋକ ସଭା ନିର୍ବାଚନ ଲଢ଼ିପାରେ। ସେହିଭଳି ବିଧାନସଭାରେ ବିଜେଡି ୯୫/୧୦୦ ଏବଂ ଭାଜପା ୪୬/୫୨ ଆସନରେ ନିର୍ବାଚନ ଲଢ଼ିପାରେ। ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏନେଇ ଆଧିକାରୀକ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ନିକଟରେ ରାଜ୍ୟ ସଭା ନିର୍ବାଚନରେ ଭାଜପା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଜଣାଇଥିଲା। ଏହାପରଠାରୁ ମେଣ୍ଟ ସରକାର ନେଇ ଆଲୋଚନା ତିବ୍ର ହେଉଥିଲା। ଶେଷରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଲୋକପ୍ରିୟ ମୁଖ୍ୟମନ୍ତ୍ରୀ’ ବୋଲି କହିଥିଲେ। ଏପରିକି ନବୀନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିବା ଦେଖାଯାଇଥିଲା।

ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ। ଏଥିରେ ମେଣ୍ଟ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଅପରପକ୍ଷେ ସନ୍ଧ୍ୟାରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏଥିରେ ରାଜ୍ୟ ଭାଜପାର ନେତାମାନେ ଯୋଗ ଦେଇଛନ୍ତି। ତେବେ ଭାଜପା ଏବଂ ବିଜେଡି କେତେ ଆସନରେ ଲଢ଼ିବେ ଏବଂ କେଉଁ ଫର୍ମୂଲାରେ ରାଜ୍ୟରେ ମେଣ୍ଟ ହେବ ସେନେଇ ଆଧିକାରୀକ ଭାବେ ଘୋଷଣାକୁ ଅପେକ୍ଷା ରହିଛି।

କହିରଖୁଛୁ, ୧୯୯୮ରୁ ୨୦୦୯ ଯାଏ ଓଡ଼ିଶାରେ ଭାଜପା-ବିଜେଡି ମେଣ୍ଟ ସରକାର ଥିଲା। ଏହାପରେ ବିଜେଡି ୨୦୦୯ ସାଧାରଣ ନିର୍ବାଚନ ଏକାକୀ ଲଢ଼ିଥିଲା। ସେହି ନିର୍ବାଚନରେ ବିଜେଡି ୧୦୩ ବିଧାନସଭା ଆସନରେ ଜିତିଥିବା ବେଳେ ଭାଜପାକୁ ମାତ୍ର ୬ଟି ଆସନ ମିଳିଥିଲା। ସେବେଠାରୁ ବିଧାନସଭା ନିର୍ବାଚନରେ ବିଜେଡିକୁ ଅପେକ୍ଷାକୃତ ଅଧିକ ଭୋଟ ମିଳୁଛି।

Share