ବଡ଼ସାହି,୨୧।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ପ୍ରଶାସନିକ ଭବନ ଉଦ୍ଘାଟନକୁ ନେଇ ମଙ୍ଗଳବାର ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ହସ୍ପିଟାଲ ପରିସରରେ ପୋଲିସ ମୃତୟନ କରାଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଭାଜପା ବିଧାୟକ ସନାତନ ବିଜୁଳି ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ପ୍ରଶାସନିକ ଭବନକୁ ଉଦ୍ଘାଟନ କରିବା ପାଇଁ ଆସିଥିବା ବେଳେ ବିଜେଡି କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ବିଧାୟକ ତାଙ୍କ ନିଜସ୍ବ ପାଣ୍ଠିରୁ ଗୃହ ନିର୍ମାଣ ପାଇଁ ଅନୁଦାନ ଦେଇ ନ ଥିବା, ସ୍ଥାନୀୟ କୌଣସି ଜନ ପ୍ରତିନିଧିଙ୍କୁ ସୂଚନା ନ ଦେଇ ଉଦ୍ଘାଟନ କରିବା ତଥା ମଙ୍ଗଳବାର ଜିଲାରେ ଆଦିବାସୀଙ୍କ ଦାବି ପୂରଣ ପାଇଁ ବନ୍ଦ ପାଳନ ଚାଲିଥିବା ସମୟରେ ଏଭଳି ଉଦ୍ଘାଟନ ଉତ୍ସବକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି ବୋଲି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର କହିଛନ୍ତି। ଏହାର ପ୍ରତିବାଦରେ ପୂର୍ବତନ ବିଧାୟକ ପାତ୍ରଙ୍କ ସମେତ ବ୍ଲକ ସଭାପତି, ଯୁବ ଓ ଛାତ୍ର ବିଜେଡି ସଭାପତିଙ୍କ ସହିତ ବହୁ ବରିଷ୍ଠ ନେତା ତଥା କର୍ମୀ ନୂତନ ଗୃହ ସମ୍ମୁଖରେ ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ବିଧାୟକ ବିଜୁଳି ଉଦ୍ଘାଟନ କରି ନ ପାରି ବହୁ ସଂଖ୍ୟକ କର୍ମୀଙ୍କ ଗହଣରେ ହସ୍ପିଟାଲ ପରିସରରେ ବସି ରହିଥିଲେ। ଏ ସମ୍ପର୍କରେ ବିଧାୟକ ବିଜୁଳିଙ୍କୁ ପଚାରିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କଠାରୁ ନିମନ୍ତ୍ରଣ ପାଇ ଉଦ୍ଘାଟନ ସକାଶେ ଆସିଥିବା ବେଳେ ବିଜେଡି କର୍ମୀମାନେ ହୀନ ରାଜନୀତି କରି ତାଙ୍କୁ ବିରୋଧ କରିଛନ୍ତି ବୋଲି କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁକାନ୍ତ ପାତ୍ରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ଚାଲି ଯାଇଥିଲେ। ଉଲ୍ଲେଖଯୋଗ୍ୟ, ଉକ୍ତ ଗୃହଟି ଓଡ଼ିଶା ଖଣିଜ ଆଧାରିତ ଅଞ୍ଚଳ ଉନ୍ନୟନ ନିଗମ କଲ୍ୟାଣ ପାଣ୍ଠିରୁ ନିର୍ମାଣ ହୋଇଛି।