ଭୁବନରେ ଭାଜପା-ବିଜେଡି ଟକ୍କର

ଭୁବନ,୨୦।୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ବ୍ଲକର ୧୮ଟି ପଞ୍ଚାୟତର ମୋଟ୍‌ ୮୨ ହଜାର ୭୪୭ ଜଣ ଭୋଟର ମତଦାନ କରିବେ। ଏଥିପାଇଁ ବ୍ଲକରେ ୨୫୮ ବୁଥ୍‌ କରାଯାଇଥିବା ବେଳେ ସେଥିରୁ ୧୧୦ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ କରାଯାଇଛି। ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। ଗତ ନିର୍ବାଚନରେ ବ୍ଲକର ୩ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୨ଟି ବିଜେଡି ଓ ଗୋଟିଏରେ ଭାଜପା ବିଜୟୀ ହୋଇଥିଲା। ତେଣୁ ଚଳିତଥର ୩ଟି ଜୋନ୍‌ ହାତେଇବାକୁ ଦୁଇ ପ୍ରମୁଖ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଲକ୍ଷ୍ୟ କରାଯାଉଛି। ଶନିବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଏମ୍‌ପି ମହେଶ ସାହୁଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି।
ଭୁବନ ବ୍ଲକର ୧, ୨ ଓ ୩ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୧୮ଟି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୬୦ ଜଣ ପ୍ରାର୍ଥୀ ରହିଥିବାବେଳେ ସମିତି ସଭ୍ୟ ପଦବୀ ପାଇଁ ମଧ୍ୟ ୬୦ ଜଣ ପ୍ର୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଦଳୀୟ ଭିତ୍ତିରେ ନିର୍ବାଚନ ଲଢ଼ାଯାଉଥିବା ଜିଲା ପରିଷଦ ଜୋନ୍‌ ଗୁଡ଼ିକରେ ପ୍ରଚାର ଜମୁଛି। ଏହି ୩ଟି ଜୋନ୍‌ ମଧ୍ୟରୁ ୧ନଂ ଓ ୨ନଂ ଜୋନକୁ ୨୦୧୭ ନିର୍ବାଚନରେ ବିଜେଡି ହାତେଇ ନେଇଥିଲା। ୩ନଂ ଜୋନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ଚଳିତ ନିର୍ବାଚନରେ ପୂରା ବ୍ଲକକୁ କରାୟତ୍ତ କରିବାକୁ ଦୁଇ ଦଳ ଯୋଜନା କରିଥିବାରୁ ଦଳୀୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ବ୍ଲକରେ ନିର୍ବାଚନ ପ୍ରଚାର ଶେଷ ହେବା ପୂର୍ବରୁ ଶନିବାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଏମ୍‌ପି ମହେଶ ସାହୁ, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଏମ୍‌ପିଙ୍କ ପ୍ରତିନିଧି ମାତୃ ପ୍ରସାଦ ମିଶ୍ର ୨ନଂ. ଜୋନ୍‌ର ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି। ଏଠାରୁ ବ୍ଲକ ବିଜେଡି ସଭାପତି ନିଜେ ଜିଲା ପରିଷଦ ପ୍ରାର୍ଥୀ ହୋଇଥିବାରୁ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। ଏହାଛଡ଼ା ବିଭିନ୍ନ ଜୋନ୍‌ରେ ଜନଅସନ୍ତୋଷ ଥିବାରୁ ସ୍ଥିତି ସୁଧାରିବା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ଏମ୍‌ପି ସାହୁ କହିଛନ୍ତି, ୩ଟି ଯାକ ଜୋନ୍‌ରେ ବିଜେଡିର ନିଶ୍ଚିତ ବିଜୟ ହେବ। ମନ୍ତ୍ରୀ ମଲ୍ଲିକ କହିଛନ୍ତି, ଭୁବନ ବ୍ଲକର ବିକାଶ ଧାରାରେ ବିଜେଡି ସାମିଲ ହୋଇଥିବାରୁ ଦଳୀୟ ପ୍ରାର୍ଥୀ ଅଧିକ ଭୋଟ ପାଇବେ।