ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୨୦ା୬(ଅନିଲ ଦାସ)ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ୨୪ ବର୍ଷ କ୍ଷମତାରେ ଥିବା ବିଜେଡି ଏବେ ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ନୂଆ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଶୁଖିଯାଉଛି। ଯେତିକି ପାଣି ମିଳିବା କଥା ଓଡ଼ିଶାକୁ ସେତିକି ମିଳୁନାହିଁ। ଏବେ ଓଡ଼ିଶାରେ ଓ ଛତିଶଗଡ଼ରେ ଭାଜପା ସରକାର ଅଛନ୍ତି। କେନ୍ଦ୍ରରେ ମଧ୍ୟ ଭାଜପା ସରକାର ରହିଛି। ମହାନଦୀ ବିବାଦ ସମାଧାନ ସହଜ ହେବ ବୋଲି ସେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ବିଜେଡିର ଏଭଳି ମନ୍ତବ୍ୟକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମହାନଦୀ ଶୁଖିଗଲା ବୋଲି ଏବେ ଜାଣିଲେ କି? ମହାନଦୀ ଏବଂ ଓଡ଼ିଶାର ସ୍ବାର୍ଥ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇନାହାନ୍ତି। ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ କେବେ ଏନେଇ ଅବଗତ କରାଇଥିଲେ କି ? ଛତିଶଗଡ଼ରେ ପୂର୍ବରୁ ଭାଜପା ଓ କଂଗ୍ରେସ ସରକାର ରହିଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ’ଣ କରିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ମହାନଦୀକୁ ନେଇ ଏବେ ବହୁତ ବିଳମ୍ବ ହୋଇସାରିଛି। ଓଡ଼ିଶା ବହୁତ କ୍ଷତି ସହିଛି। ତଥାପି ଭାଜପା ସରକାର ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବ ବୋଲି ପୂଜାରୀ କହିଛନ୍ତ।
କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଏବେ କେନ୍ଦ୍ରରେ, ଓଡ଼ିଶାରେ ଓ ଛତିଶଗଡ଼ରେ ଭାଜପା ସରକାର ରହିଛି। ଟ୍ରିପଲ୍‌ ଇଞ୍ଜିନ ସରକାରରେ ଯଦି ମହାନଦୀ ଜଳ ବିବାଦ ସମାଧାନ ନ ହେବ, ତା’ ହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।

Share