ମହିଳା ସଶକ୍ତୀକରଣ ନେଇ ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ମହିଳା ସଶକ୍ତୀରଣ ପ୍ରସଙ୍ଗରେ ବିଜେଡି-ଭାଜପା ଏବେ ମୁହାଁମୁହିଁ ହୋଇଛନ୍ତି। ଏହି ପ୍ରସଙ୍ଗରେ ଉଭୟ ଦଳର ନେତାଙ୍କ ଭିତରେ ବର୍ତ୍ତମାନ ଟୁଇଟ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତୀକରଣ କଥା ଉଠାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ କଥାର ସମାଲୋଚନା କରିଥିଲେ। ଏହାପରେ ଧର୍ମେନ୍ଦ୍ରଙ୍କୁ ଟୁଇଟ୍‌ କରି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମାଲୋଚନା କଲେ। ପ୍ରଣବଙ୍କ ଟୁଇଟ୍‌ ଉପରେ ଧର୍ମେନ୍ଦ୍ର କୌଣସି ମନ୍ତବ୍ୟ ଦେଇ ନ ଥିବାବେଳେ ପ୍ରଥମେ ଲେଖାଶ୍ରୀ ସାମନ୍ତସିଂହାର ପରେ ସୋମବାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ମହିଳା ମୋର୍ଚ୍ଚ ସଭାପତି ସ୍ମୃତି ପଟ୍ଟନାୟକ ଏବଂ ଟଙ୍କଧର ତ୍ରିପାଠୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଦୀପ୍ତ ଟୁଇଟ୍‌ କରି କହିଛନ୍ତି, ପର ଘରେ ବାସନ ମାଜି ଯାହାର ମା ପିଲାଙ୍କୁ ମଣିଷ କରିଥିଲା ପ୍ରଧାନମନ୍ତ୍ରୀ ହେଉଛନ୍ତି ତାଙ୍କ ପୁଅ। ଗରିବ ମା, ଭଉଣୀଙ୍କ ସମସ୍ୟା ମୋଦିଙ୍କଠାରୁ ଆଉ କିଏ ଅଧିକ ବୁଝିଛି ବୋଲି ପ୍ରଦୀପ୍ତ କହିଛନ୍ତି।

Share