ଭାଜପାର ଆହ୍ବାନ: AI ମାଧ୍ୟମରେ ଶର୍ଟ ଭିଡିଓ ନ ଛାଡ଼ି ନବୀନ ଆଲୋଚନା ଲାଗି ମଞ୍ଚକୁ ଆସନ୍ତୁ…

ଭୁବନେଶ୍ୱର,୨୨।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି। ଦୁଇ ପ୍ରମୁଖ ଦଳ ଭାଜପା ଏବଂ ବିଜେଡିର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ ବିଜେଡି ସୁପ୍ରିମୋ ଏବଂ ଭି କେ ପାଣ୍ଡିଆନ ପ୍ରଚାର ଚଳାଇଛନ୍ତି। ପ୍ରାୟତଃ ବିରୋଧିଙ୍କ କଟାକ୍ଷକୁ ଖାତିର କରୁ ନ ଥିବା ନବୀନ ଏହି ନିର୍ବାଚନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜବାବ ରଖୁଥିବା ଦେଖାଯାଉଛି। ଏହାକୁ ନେଇ ଭାଜପା ସନ୍ଦେହ ପ୍ରକାଶ କରିଛି। ନିର୍ବାଚନୀ ସଭାରେ ନବୀନ ଗୋଟିଏ ମିନିଟ୍‌ରେ ସ୍କ୍ରିପ୍ଟେଡ୍‌ ଲେଖା ପଢ଼ି ଦେଉଛନ୍ତି। ହେଲେ ଶର୍ଟ ଭିଡିଓରେ ବେଶ ପ୍ରାଞ୍ଜଳ ଭାବେ ସମସ୍ତ ଘଟଣାକୁ ପରିପ୍ରକାଶ କରୁଛନ୍ତି। ଏଣୁ ବାସ୍ତବରେ ସେ କହୁଛନ୍ତି ନା ତାହା AI କିଛି ସ୍ପଷ୍ଟ ହୋଇପାରୁନାହିଁ ବୋଲି ବୁଧବାର ଭାଜପା ନେତା ସମୀର ମହାନ୍ତି କହିଛନ୍ତି। ଏଭଳି ଭିଡିଓ କରିବା ଛାଡ଼ନ୍ତୁ, ଆଲୋଚନା କରିବାକୁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଗଣମାଧ୍ୟମକୁ ସମୀର କହିଛନ୍ତି, ଶର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କହୁଛି, ଜଣାପଡ଼ୁନାହିଁ। ଯଦି ଶର୍ଟ ଭିଡିଓରେ ନବୀନ ବାବୁ କହୁଥାନ୍ତେ, ତା’ହେଲେ ସଭା ସମିତିରେ ବି କୁହନ୍ତେ। କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ ଲେଖା ପଢ଼ି ଦେଉଛନ୍ତି। ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ଏକଥା ସମ୍ଭବ ହୋଇ ପାରୁନି ବୋଲି ବରିଷ୍ଠ ଭାଜପା ନେତା ସମୀର ମହାନ୍ତି କହିଛନ୍ତି। ତେବେ ତାଙ୍କୁ ଯିଏ ରିମୋଟ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେଣୁ ’AI ମାଧ୍ୟମରେ ନବୀନ ବାବୁଙ୍କ ଶର୍ଟ ଭିଡିଓ କରାଯାଇ ସୋଶାଲ ମିଡିଆରେ ଛଡ଼ା ଯାଉଛି। ମାତ୍ର ରାଜ୍ୟବାସୀ ସତ କ’ଣ ଜାଣି ସାରିଲେଣି ବୋଲି ସେ କହିଛନ୍ତି। ଯେଉଁ ବିଷୟରେ ଆଲୋଚନା ହେଉଛି, ତାହାର ସ୍ପଷ୍ଟ ଉତ୍ତର ରଖନ୍ତୁ। ଗୁମାସ୍ତାଙ୍କ ଲେଖାକୁ ଟେକନୋଲୋଜି ମାଧ୍ୟମରେ ପଢ଼ି ଶର୍ଟ ଭିଡିଓ କରି ଗଣମାଧ୍ୟମରେ ନ ଛାଡ଼ନ୍ତୁ । ତା’ ପରିବର୍ତ୍ତେ ଆଲୋଚନା ପାଇଁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।