Categories: ଜାତୀୟ

ପିକେଙ୍କୁ ସେଲ୍ସମ୍ୟାନ୍‌ କହିଲା ଭାଜପା…

ନୂଆଦିଲ୍ଲୀ, ୨୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଏବଂ କଂଗ୍ରେସ ଦଳ ମଧ୍ୟରେ ହୋଇଥିବା ଚୁକ୍ତି ବିଫଳ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ସାଧାରଣ ନିର୍ବାଚନ ପୂର୍ବରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ପରିହାସ କରିଛନ୍ତି। ଭାଜପା ନେତାମାନେ ପିକେଙ୍କୁ ସେଲ୍ସମ୍ୟାନ୍‌’ ବୋଲି କହି ଦଳ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

ଏକ ଗଣମାଧ୍ୟମ ଚ୍ୟାନେଲ ସହ କଥାବାର୍ତ୍ତା କରି ଭାଜପା ପ୍ରବକ୍ତା ଶାହଜାଦ ପୁନାୱାଲା ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ଯୋଗଦେବାରେ ଅସଫଳ ହୋଇଥିବା ନେଇ ଏବଂ ତାଙ୍କ ଉଦ୍ୟମକୁ ପରିହାସ କରିଛନ୍ତି। ସେ କହିଛନ୍ତି, ଯଦି ଉତ୍ପାଦଟି ତ୍ରୁଟିପୂର୍ଣ୍ଣ, ତେବେ ବିକ୍ରେତା ଯେତେ ଭଲ ହେଲେ ମଧ୍ୟ ତାହା ବିକ୍ରି ହୋଇ ପାରି ନଥାଏ।

ସେ କହିଛନ୍ତି ଯେ କଂଗ୍ରେସ ଦଳର ଏଜେଣ୍ଡା ହେଉଛି ପରିବାରକୁ ବଞ୍ଚାଅ, ପାର୍ଟିକୁ ବଞ୍ଚାଅ। କଂଗ୍ରେସର ବଂଶବାଦ ରାଜନୀତି ଦଳକୁ ବୁଡ଼ାଇବାରେ ଲାଗିଛି। ସେଥିପାଇଁ ଦଳ ମଧ୍ୟରେ ପରିବର୍ତ୍ତନଶୀଳ ତଥା ଗଠନମୂଳକ ସଂସ୍କାର ଉପରେ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ କାମ କରିନାହିଁ।

ଏହି ମର୍ମରେ ଭାଜପାର ଗୁରୁ ପ୍ରକାଶ ପାସୱାନ କହିଛନ୍ତି ଯେ ଗଣମାଧ୍ୟମ ପ୍ରଶାନ୍ତ କିଶୋରଙ୍କୁ ସେଲିବ୍ରିଟି କରିପାରିଛି। ସେ କହିଛନ୍ତି ଏଠାରେ ସବୁଠାରୁ ବଡ ପ୍ରଶ୍ନ ହେଉଛି କଂଗ୍ରେସରେ ଦଳର ନେତୃତ୍ୱର ଅଭାବ ଅଛି କି? ଏଥିପାଇଁ ପାର୍ଟିରେ ବାହାର ଲୋକଙ୍କୁ ନିଯୁକ୍ତି ଦେବାକୁ ପଡିବ କି?

Share