ଲିଜ୍‌ ଅବଧି ବଢ଼ାଇବାକୁ କହିଥିଲା ଭାଜପା: କଂଗ୍ରେସ

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ବିଧାନସଭାରେ ସୋମବାର ଭାଜପା ଉଠାଇଥିବା ରାଜ୍ୟ ସରକାରଙ୍କ ଖଣି ଦୁର୍ନୀତି ପ୍ରସଙ୍ଗ ମଙ୍ଗଳବାର ଏକ ନୂଆ ମୋଡ଼ ନେଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ଏକ ଭିନ୍ନ ତଥ୍ୟ ଉପସ୍ଥାପନ କରି ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ୨୦୧୫ରେ ଖଣି ଓ ଖଣିଜ(ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ) ସଂଶୋଧନ ଆଇନ ଆଣିଥିଲେ। ଏହି ଆଇନ ବଳରେ ଯେଉଁମାନଙ୍କ ଖଣି ଲିଜ୍‌ ସରିଯାଇଥିଲା ସେମାନଙ୍କ ଲିଜ୍‌ ଅବଧିକୁ ଆହୁରି ୫ବର୍ଷ ପାଇଁ ବଢାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଭାଜପା ଗୃହରେ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ ଏବଂ ଲିଜ୍‌ ବଢାଇବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବୋଲି ବାହିନୀପତି କହିଥିଲେ। ମୋଦି ସରକାରଙ୍କ ଚିଠି ପାଇଁ ଆଜି ଓଡ଼ିଶା କୋଟି କୋଟି ଟଙ୍କା ହରାଇଛି। ଭାଜପା ପାଇଁ ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି। ଏହା ଉପରେ ସିବିଆଇ ତଦନ୍ତ କରିବାକୁ ବାହିନୀପତି ଗୃହରେ ଦାବି କରିଥିଲେ।
ଏହି ଅବସରରେ ସେ ପାରାଦୀପ ଓ ଗୋପାଳପୁର ବନ୍ଦରରୁ ଚାଇନାକୁ ହେଉଥିବା ଲୁହାପଥର ରପ୍ତାନୀକୁ ବିରୋଧ କରିଥିଲେ। ଚାଇନା ସହ ଭାରତର ବିବାଦ ଯୋଗୁ କେନ୍ଦ୍ର ସରକାର ଚାଇନା ସାମଗ୍ରୀକୁ ବ୍ୟାନ୍‌ କରିବାକୁ କହିଥିଲେ ମଧ୍ୟ ପାରାଦୀପ ବନ୍ଦରରୁ ଲୁହାପଥର ନେବାକୁ ଚାଇନାକୁ ଅନୁମତି ଦେଇଛନ୍ତି। ଚାଇନାକୁ ଓଡ଼ିଶାର ଉଚ୍ଚମାନର ଲୁହାପଥର ରପ୍ତାନି ହେଉଛି। କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକଦିନ ପାରାଦୀପ ବନ୍ଦରରୁ ୯୭୫ ଟନ୍‌ ଓ ଗୋପାଳପୁର ବନ୍ଦରରୁ ୩୩୨ ଟନ୍‌ ଲୁହାପଥର ରପ୍ତାନି ହେଉଛି। ସେହି ଲୁହାପଥରରେ ଅସ୍ତ୍ରଶସ୍ତ୍ର ତିଆରି କରି ଚାଇନା ଭାରତକୁ ଆକ୍ରମଣ କରିବ ବୋଲି ସେ କହିଥିଲେ। ଚାଇନାକୁ ଲୁହାପଥର ଚାଲାଣ ବନ୍ଦ କରିବାକୁ ଦାବି କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଭାଜପା ଉପରେ ବର୍ଷିଥିଲେ। ଖଣି ଏକ କେନ୍ଦ୍ରୀୟ ବିଷୟ। ଏହା ରାଜ୍ୟ ସରକାରଙ୍କ ବିଷୟ ନୁହେଁ। ଯଦି କିଛି ଦ୍ୱନ୍ଦ୍ୱ ଅଛି ତାହେଲେ ଭାଜପା ସଦସ୍ୟ କେନ୍ଦ୍ରରେ ଯାଇ ପଚାରନ୍ତୁ ବୋଲି ସେ କହିଥିଲେ। ଖଣି ଦୁର୍ନୀତି ପାଇଁ ଆଜି ଓଡ଼ିଶାର ଯାହା କ୍ଷତି ହୋଇଛି ତାହା କେନ୍ଦ୍ର ପାଇଁ ହୋଇଛି। ଏହି ଅବସରରେ ସେ ମିତ୍ତଲ, ଜେଏସ୍‌ଏଲ୍‌, ଜେଏସ୍‌ଡବ୍ଲ୍ୟୁ ଏବଂ ସିରାଜଉଦ୍ଦିନ ମାଇନ୍ସ କିଭଳି ଉଚ୍ଚକୋଟୀର ଲୁହାକୁ ନିମ୍ନମାନର କହି ହଜାର ହଜାର କୋଟି ଟଙ୍କା ଚୋରି କରି ନେଇଛନ୍ତି ସେ ସମ୍ପର୍କରେ କହିଥିଲେ। ଖଣିମନ୍ତ୍ରୀ ଏ ବାବଦରେ ଖଣିି ମାଲିକମାନଙ୍କଠାରୁ ଫାଇନ ଆଦାୟ କରିବାକୁ ସେ କହିଥିଲେ।

Share