ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦଳ ଆଗାମୀ ନିର୍ବାଚନଗୁଡ଼ିକ ପାଇଁ ସତର୍କ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ଏଭଳିସ୍ଥଳେ ଯାଜପୁର ଜିଲାରେ ଉଭୟ ଦଳର ନେତୃତ୍ୱ କାହା ଉପରେ ନ୍ୟସ୍ତ କରାଯିବ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷକରି ଭାଜପାରେ ୭ ବର୍ଷ ହେଲା ସଭାପତି ପଦବୀ ପରିବର୍ତ୍ତନ ହୋଇନାହିଁ। ନୂଆବର୍ଷରେ ଭାଜପା ଏଠାରେ ମହିଳା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଯାଜପୁର ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ତଥା ବ୍ଲକସ୍ତରରେ ଭାଜପା ସରକାରଙ୍କ ଆଶାନୁରୂପକ ପ୍ରଦର୍ଶନ ଏବେ ଜିଲାର ବହୁ ହେଭିଓ୍ବେଟ ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି।
ମାସେବ୍ୟାପୀ ଚାଲିଥିବା ଭାଜପା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡଳ ଅନୁସାରେ ସଭାପତି ଚୟନ ସ୍ଥିର ହୋଇସାରିଛି ବୋଲି ସୂଚନା ମିଳିଛି। ତେଣୁ ଜିଲା ସଭାପତି ନିର୍ବାଚନ ଚଳିତ ମାସ ଶେଷ ସୁଦ୍ଧା କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଗୌତମ ରାୟ ଜିଲା ଭାଜପା ସଭାପତି ଅଛନ୍ତି। ସେ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ୨୦୦୪ରେ ହାରିଥିବାବେଳେ ଯାଜପୁର ବିଧାନସଭା ଆସନରୁ ସେ ଭାଜପା ପ୍ରାର୍ଥୀ ହୋଇ ୨୦୦୯, ୨୦୧୯ ଓ ୨୦୨୪ରେ ପରାଜିତ ହୋଇଛନ୍ତି। ୨୦୧୪ରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ଏହାପରେ ୨୦୧୭ରେ ଆଶୁତୋଷ ପରିଡ଼ାଙ୍କ ସ୍ଥାନରେ ଭାଜପା ଗୌତମଙ୍କୁ ଜିଲା ନେତୃତ୍ୱ ଭାର ଦେଇଥିଲା। ୨ ବର୍ଷ ଧରି ତାଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ୨୦୧୯ରେ ସାମ୍ବିଧାନିକ ପ୍ରକ୍ରିୟାରେ ସେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ତାଙ୍କ ସମର୍ଥକମାନେ ତାଙ୍କୁ ପୁଣିଥରେ ସଭାପତି ଭାବେ ଅବସ୍ଥାପିତ କରିବାକୁ ଲାଗି ପଡ଼ିଛନ୍ତି। ତେବେ ଯଦି ସାମ୍ବିଧାନିକ ପ୍ରକ୍ରିୟାରେ ଯଦି ସଭାପତି ନିର୍ବାଚନ କରାଯାଏ, ତେବେ ଗୌତମଙ୍କ ପାଳି ପୁଣି ପଡ଼ିବା ସମ୍ଭାବନା କମ୍ ବୋଲି କୁହାଯାଉଛି। କାରଣ ଗୌତମଙ୍କ ବୟସ ୬୦ ଟପିଲାଣି। ଏହାସହ ଯଦି ଗୌତମଙ୍କ ରାଜନୈତିକ କ୍ୟାରିୟରକୁ ଦୃଷ୍ଟି ଦିଆଯାଏ, ତେବେ ସେ ଅଭିଜ୍ଞ ହୋଇଥିଲେ ବି ନିର୍ବାଚନ ରାଜନୀତିରେ ବାରମ୍ବାର ବିଫଳ ହୋଇଛନ୍ତି। ୨୦୨୪ ନିର୍ବାଚନରେ ଭାଜପା ସପକ୍ଷରେ ହାଓ୍ବା ଜୋର ରହିଥିବା ସତ୍ତ୍ୱେ ସେ ବିଜେଡି ପ୍ରାର୍ଥିନୀ ସୁଜାତା ସାହୁଙ୍କଠାରୁ ହାରିଯାଇଥିଲେ। ହେଲେ ଗୌତମଙ୍କ ପାଇଁ ତାଙ୍କ ସମର୍ଥକମାନେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଡେରା ପକାଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ଗୌତମଙ୍କ ସ୍ଥାନ ନେବାକୁ ପୂର୍ବତନ ସଭାପତି ଆଶୁତୋଷ ପରିଡା, ପବିତ୍ର ଦାସ, ଜଗନ୍ନାଥ ସାମଲଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଏହାସହ ସର୍ବେଶ୍ୱର ବେହୁରା, ସୁଦୀପ୍ତ ପଣ୍ଡା, ସୁରଜମଲ ସାମଲ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଅନ୍ୟପକ୍ଷେ ଦଳ ଯଦି ମହିଳା କାର୍ଡ ଖେଳିବ, ତେବେ ନିକଟରେ ବିଜେଡି ଛାଡି ଭାଜପାରେ ମିଶିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ନାମ ଆଗରେ ରହିବ। ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା। ତେଣୁ ଉଭୟ ପନତ୍ୀପତିଙ୍କୁ ଭାଜପା ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି। ସେହିପରି ବିଞ୍ଝାରପୁର ଆସନର ପ୍ରାର୍ଥୀ ତଥା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରକୁ ଆସୁଛି। ଯାଜପୁର ଜିଲାରେ ବରୀ ନିର୍ବାଚନମଣ୍ଡଳୀକୁ ବାଦ ଦେଲେ ଅନ୍ୟ ୬ ବିଧାନସଭା ଆସନରେ ହାରଜିତ ବ୍ୟବଧାନ ୧୦ ହଜାର ଭୋଟ ଭିତରେ ରହିଛି। ତେଣୁ ଭାଜପା ପଞ୍ଚାୟତସ୍ତରର ନେତାଙ୍କୁ ସଜାଡ଼ି ଏବଂ ନୂତନ ନେତୃତ୍ୱଙ୍କୁ ଅଗ୍ରାଧିକାର ଦେଲେ ଦଳ ପାଇଁ ସହାୟକ ହୋଇପାରେ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏ ସଂକ୍ରାନ୍ତରେ ଭାଜପା ଜିଲା ସଭାପତି ଗୌତମ ରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ସେ କେବେ ସଭାପତି ପଦବୀ ରେସ୍ରେ ନ ଥିଲେ, ଏବେ ବି ନାହାନ୍ତି। ଦଳ ନେତୃବର୍ଗ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ସାଦରେ ଗ୍ରହଣ କରିବେ।