Categories: ଜାତୀୟ

ବିହାର ରାଜନୀତି ଧରପଗଡ: ଶାହାଙ୍କ ତେଲଙ୍ଗାନା ଗସ୍ତ ରଦ୍ଦ, ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୮।୧: ବିହାରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଭାଜପା ଓ ଜେଡିୟୁ ମଧ୍ୟରେ ମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିବାବେଳେ ପାର୍ଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏପଟେ ଭାଜପା ବିହାରରେ ସହଯୋଗୀ ଦଳ ଦ୍ୱାରା ବଳ ଗୋଟାଇବାରେ ଲାଗିପଡିଛି। ଲୋକ ଜନଶକ୍ତି ପାର୍ଟି(ଏଲଜେପି) ନେତା ଚିରାଗ ପାଶଓ୍ବାନ ଶନିବାର ଗୃହମନ୍ତ୍ରୀ ଅମିତ ଶାହ ଓ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହାରି ଭିତରେ ଶାହ ରବିବାର ତାଙ୍କର ତେଲଙ୍ଗାନା ଗସ୍ତକୁ ରଦ୍ଦ କରିଛନ୍ତି। ତେଣୁ ଏହାକୁ ନେଇ ଜାତୀୟ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଛି। ଆଜି କିଛି ବଡ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ବୋଲି ଆଲୋଚନା ଆରମ୍ଭ ହୋଇଛି।
ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ମେଣ୍ଟ ନେଇ ସବୁ ପ୍ରସ୍ତୁତି ସରିଛି। ରବିବାର ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣି ଭାଜପା ସହ ମେଣ୍ଟ କରିପାରନ୍ତି। ତେବେ ଏହାରି ଭିତରେ ଜେପି ନଡ୍ଡାଙ୍କ ପାଟନା ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟର ପ୍ରମୁଖ ନେତା ଓ ଜିଲାଧ୍ୟକ୍ଷଙ୍କ ସାଥିରେ ବୈଠକ କରି ଆଗାମୀ ରଣନୀତି ଚୂଡାନ୍ତ ରୂପ ଦେବେ। ତେବେ ନଡ୍ଡାଙ୍କ ସହ ଶାହା ମଧ୍ୟ ପାଟନା ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି ଆଲୋଚନା କରାଯାଉଛି।

Share