ନୂଆଦିଲ୍ଲୀ, ୫ା୧୨: ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଭାଜପାର ବିଜୟକୁ କଟାକ୍ଷ କରି ଡିଏମକେ ଏମପି ଡିଏନବି ସେନ୍ଥିଲ କୁମାର ବିବାଦୀୟ ବୟାନ ଦେଇଛନ୍ତି। ମଙ୍ଗଳବାର ଲୋକ ସଭାରେ ସେ କହିଥିଲେ ଯେ, ”ଭାଜପା କେବଳ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନିର୍ବାଚନ ଜିତି ପାରିବ। ଏହି ରାଜ୍ୟକୁ ସାଧାରଣରେ ‘ଗୌମୂତ୍ର ରାଜ୍ୟ’ କୁହାଯାଏ।”
ରିପୋର୍ଟ ଅନୁଯାୟୀ ଲୋକ ସଭାରେ ଜମ୍ମୁ କଶ୍ମୀର ସଂରକ୍ଷଣ(ସଂଶୋଧନ) ବିଲ ୨୦୨୩ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ ବିଧେୟକ(ସଂଶୋଧନ) ୨୦୨୩ ଉପରେ ଆଲୋଚନା ସମୟରେ ସେ ଏହା କହିଥିଲେ। ଏହି ଆଲୋଚନାରେ ଅଂଶଗ୍ରହଣ କରି ସେନ୍ଥିଲ କୁମାର କହିଛନ୍ତି ‘କେନ୍ଦ୍ର ଶାସିତ ଅଞ୍ଚଳ ସବୁବେଳେ ରାଜ୍ୟ ହେବାକୁ ଚାହାଁନ୍ତି, କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ ଏକ ରାଜ୍ୟ ୟୁନିଅନ ଅଞ୍ଚଳରେ ପରିଣତ କରାଯାଇଛି।’
ଏହା ପରେ ସେ କହିଥିଲେ ଯେ ନିକଟରେ ଭାଜପା ଅନେକ ରାଜ୍ୟ ନିର୍ବାଚନରେ ବିଜୟୀ ହୋଇଛି। ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସେମାନେ ଏକ ରାଜ୍ୟରେ ଜିତିପାରିବେ ନାହିଁ, ସେମାନେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରି ଦିଅନ୍ତି, ଯେଉଁଠାରେ ସେମାନେ ରାଜ୍ୟପାଳଙ୍କୁ ନିୟନ୍ତ୍ରଣ କରିପାରିବେ ଏବଂ ତାଙ୍କ ମାଧ୍ୟମରେ ଶାସନ କରିପାରିବେ। ଯଦି ସେମାନେ ସେଠାରେ ଜିତିବାର ଆତ୍ମବିଶ୍ୱାସ ରୁହନ୍ତା , ସେମାନେ ଏହା କରି ନଥାନ୍ତେ।
ତେବେ ଦେଶର ଲୋକମାନଙ୍କୁ ଏହା ଚିନ୍ତା କରିବା ଆବଶ୍ୟକ ଯେ, ଭାଜପାର ଶକ୍ତି ହେଉଛି ହିନ୍ଦୀ ରାଜ୍ୟ, ଯାହାକୁ ଆମେ ସାଧାରଣ ଭାଷାରେ ଗୌମୂତ୍ର ରାଜ୍ୟ କହିଥାଉ। ଭାଜପା କେବଳ ଏହି ରାଜ୍ୟରେ ନିର୍ବାଚନ ଜିତୁଛି, କିନ୍ତୁ ଦକ୍ଷିଣ ଭାରତୀୟ ରାଜ୍ୟରେ କେବେ ଜିତିବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଥିଲେ।