Categories: ଜାତୀୟ

ଗୁଜରାଟ, ପଶ୍ଚିମବଙ୍ଗ ରାଜ୍ୟ ସଭା ଆସନ ପାଇଁ ଭାଜପା ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭା ପାଇଁ ହେବାକୁ ଥିବା ଦ୍ୱି ବର୍ଷୀୟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ମୋଟ ତିନୋଟି ନାମ ରହିଛି। ଯେଉଁଥିରେ ଦୁଇଜଣ ଗୁଜରାଟ ଏବଂ ଗୋଟିଏ ପଶ୍ଚିମବଙ୍ଗର। କେନ୍ଦ୍ରୀୟ କମିଟିର ସହମତି ପରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।

ଗୁଜରାଟରୁ ରାଜ୍ୟ ସଭା ଆସନ ପାଇଁ ବାବୁଭାଇ ଜେସଙ୍ଗଭାଇ ଦେଶାଇ ଏବଂ କେସରିଦେବ ସିଂ ଜାଲାଙ୍କୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗରେ ଭାଜପା ଅନନ୍ତ ମହାରାଜଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି।

ରାଜ୍ୟ ସଭା ପାଇଁ ୩ ରାଜ୍ୟର ୧୦ଟି ଆସନରେ ଜୁଲାଇ ୨୪ରେ ମତଦାନ ଅନୁଷ୍ଠିତ ହେବ। ଯେଉଁଥିରେ ଗୁଜରାଟରେ ୩ ଟି ଆସନ ରହିଛି। କେନ୍ଦ୍ର ମନ୍ତ୍ରୀ ଏସ୍‌.ଜୟଶଙ୍କର ୧୦ ଜୁଲାଇରେ ଗୁଜରାଟରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Share