Categories: ଜାତୀୟ

ଅରବିନ୍ଦ କେଜ୍‌ରିଓ୍ବାଲ ଥିବା ପର୍ଯ୍ୟନ୍ତ ଦିଲ୍ଲୀରେ ସରକାର ଗଠନ କରିପାରିବ ନାହିଁ ଭାଜପା: ରାଘବ ଚଢା

ନୂଆଦିଲ୍ଲୀ,୪।୮: ଲୋକ ସଭାରେ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ୍‌ ପାରିତ ହେବା ପରେ ଏଏପି ଏମ୍‌ପି ରାଘବ ଚଢା କାହାର ନାମ ନ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଥିବେ ସେ ପର୍ଯ୍ୟନ୍ତ ସେମାନେ କେବେ ବି ଦିଲ୍ଲୀରେ ସରକାର ଗଠନ କରିପାରିବେ ନାହିଁ, ସେଥିପାଇଁ ସେମାନେ(ଭାଜପା) ଦିଲ୍ଲୀର ଅମଲାତନ୍ତ୍ରକୁ ପ୍ରଭାବହୀନ ଏବଂ ଶକ୍ତିହୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସେ ତାଙ୍କର ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ଲୋକସଭାରେ ଦିଲ୍ଲୀ ଅର୍ଡିନାନ୍ସ ବିଲ ପାରିତ ହେବା ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଦିନ। ଏକଦା ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ଭାରତୀୟ ଜନତା ପାର୍ଟି ଲୋକଙ୍କ ସହ ବିଶ୍ୱାସଘାତକତା କରିଛି। ଏହା ଆମ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏହା ଏକ ଲଜ୍ଜାଜନକ କାର୍ଯ୍ୟ। ଲୋକଙ୍କ ଇଚ୍ଛାକୁ ଅବମାନନା କରିବା ଏବଂ ଆମର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅପମାନ।
ଦିଲ୍ଲୀର ପ୍ରଶାସନିକ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କର ରହିଛି ବୋଲି ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଅକାମୀ କରିବା ଲାଗି କେନ୍ଦ୍ର ସରକାର ଗତ ମେ’ ୧୯ରେ ଅଧ୍ୟାଦେଶ ଲଗାଇଥିଲେ। ଅଧ୍ୟାଦେଶ ଉପରେ ସ୍ଥଗିତାଦେଶ ଜାରି ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ବିଲ୍‌ ଅନୁଯାୟୀ ଜାତୀୟ ରାଜଧାନୀ ସିଭିଲ୍‌ ସର୍ଭିସେସ୍‌ ଅଥରିଟିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟ ସଚିବ ଏବଂ ଦିଲ୍ଲୀ ଗୃହ ସଚିବ ରହିବେ। ଦିଲ୍ଲୀର ଅଫିସରମାନଙ୍କ ନିଯୁକ୍ତି, ବଦଳି ପାଇଁ ଉକ୍ତ ଅଥରିଟି ଉପରାଜ୍ୟପାଳଙ୍କୁ ସୁପାରିସ କରିବେ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କ୍ଷମତା ଉପରାଜ୍ୟପାଳଙ୍କୁ ଦିଆଯାଇଛି।

Share