ଶ୍ରୀନଗର,୬।୪: ଭାରତୀୟ ଜନତା ପାର୍ଟିର କଶ୍ମୀର ୟୁନିଟ ଶ୍ରୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଜରିଆରେ ଦଳ ୪୩ତମ ସ୍ଥାପନା ଦିବସ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଦଳର ରାଜ୍ୟ ୟୁନିଟ ଘୋଷଣା କରିଛି ଯେ, ସେମାନେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଦଳର ପତାକା ଉତ୍ତୋଳନ କରି ଭାଜପା ରାଜ୍ୟ ମହାସଚିବ ଅଶୋକ କୌଲ ଜମ୍ମୁ-କଶ୍ମୀରରେ ଦଳର କର୍ମକର୍ତ୍ତା ଓ ନେତାଙ୍କ ଦ୍ୱାରା ଦେଶର ସାର୍ବଭୌମତ୍ୱ ପାଇଁ ଦିଆଯାଇଥିବା ବଳିଦାନକୁ ପ୍ରଶଂସା କରିଛନ୍ତି। ଏଥିସହ ନିକଟରେ ଘଟିଥିବା ଘଟଣାରୁ ଦଳର କର୍ମକର୍ତ୍ତାମାନେ ବିଚଳିତ ହେବେ ନାହିଁ ବୋଲି ସେ କହିଛନ୍ତି। ସଂସଦ ତଥା ରାଜ୍ୟ ସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଆଜି ଭାଜପା ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଥିବା ବେଳେ ଦେଶର କୋଣ ଅନୁକୋଣରେ ‘ପଦ୍ମ’ ଫୁଟୁଛି। କଶ୍ମୀରରେ ମଧ୍ୟ ଦଳ ଯେକୌଣସି ସମୟରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ଅଶୋକ କୌଲ କହିଛନ୍ତି। କଶ୍ମୀର ଘାଟିରେ ନିର୍ବାଚନରେ ବିଳମ୍ବ ଏବଂ ସୁରକ୍ଷା ପରିସ୍ଥିତିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଅଶୋକ କୌଲ କହିଛନ୍ତି, ଜମ୍ମୁ-କଶ୍ମୀରରେ ନିର୍ବାଚନ ଉପରେ ନିର୍ବାଚନ କମିଶନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କିନ୍ତୁ ଦଳ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।