Categories: ଜାତୀୟ

ଭାଜପାର ଉତ୍ସବ, ବିରୋଧୀଙ୍କ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୬ା୮:୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଗୁରୁବାର ଏହି ଐତିହାସିକ ପଦକ୍ଷେପକୁ ୨ ବର୍ଷ ପୂରିଛି। ଏହି ଅବସରରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଇଥିବାବେଳେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସମେତ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଜମ୍ମୁରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଧରି ଶୋଭାଯାତ୍ରା କରାଯାଇଥିଲା। ଦଳୀୟ କର୍ମୀମାନେ ‘ବନ୍ଦେ ମାତରମ୍‌’ ଓ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେଇଥିଲେ। ସେହିପରି ଶିବସେନା ପକ୍ଷରୁ ମଧ୍ୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀମାନେ ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ହଟାଯିବାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଶ୍ରୀନଗରରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ନେତୃତ୍ୱରେ ଦଳୀୟ ମୁଖ୍ୟାଳୟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିବାବେଳେ ଜିପିଓ ନିକଟରେ ପୋଲିସ ଅଟକାଇଥିଲା। ମେହବୁବା କହିଥିଲେ, ଆଜି ଜମ୍ମୁ-କଶ୍ମୀର ପାଇଁ ଶୋକ ଦିବସ। କିନ୍ତୁ ଭାଜପା ୩୭୦ ଉଚ୍ଛେଦକୁ ନେଇ ଦେଶବ୍ୟାପୀ ଉତ୍ସବ ମନାଉଛି, ଯାହାକି ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ଉପତ୍ୟକାର ଲୋକ ଓ ପାକିସ୍ତାନ ସହ ଆଲୋଚନା କରି ଜମ୍ମୁ-କଶ୍ମୀରକୁ ଏହାର ସାମ୍ବିଧାନିକ ମର୍ଯ୍ୟାଦା ଫେରସ୍ତ କରନ୍ତୁ। ଅନ୍ୟ କିଛି ବିକଳ୍ପ ନ ଥିବାରୁ ସେମାନେ ପାକିସ୍ତାନ ସହ ଆଲୋଚନା କରୁଛନ୍ତି, ଯାହା ଫଳରେ ଅସ୍ତ୍ରବିରତି ହୋଇଛି ଏବଂ ଅନୁପ୍ରବେଶ ମଧ୍ୟ କମିଛି। ଜମ୍ମୁ-କଶ୍ମୀର ଦୁଇ ପଡ଼ୋଶୀ ମଧ୍ୟରେ ଶାନ୍ତିର ସେତୁ ପାଲଟିଛି। ଇତିମଧ୍ୟରେ ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ (ପିଏଜିଡି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ମେଣ୍ଟ ଦଳଗୁଡ଼ିକର ନେତାଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରଣନୀତି ସ୍ଥିର କରାଯାଇଥିବା ଜଣାପଡ଼ିଛି।

Share