Categories: ଜାତୀୟ

ଖାର୍ଗେଙ୍କ ବିରୋଧରେ ଫୌଜଦାରି ମାମଲା ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୨୯ା୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସର୍ପ କହିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ସହ ତାଙ୍କୁ କର୍ନାଟକ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ଲାଗି ଭାଜପା ନିର୍ବାଚନ କମିଶନଙ୍କୁ ନିବେଦନ କରିଛି। ଖାର୍ଗେଙ୍କ ମନ୍ତବ୍ୟ କଂଗ୍ରେସର ଘୃଣିତ ରାଜନୀତି ବୋଲି ଭାଜପା ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗଣମାଧ୍ୟମକୁ କହିଛନ୍ତି। ଖାର୍ଗେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଭାଜପା ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ କହିଛନ୍ତି। ଆଇପିସିର ଧାରା ୪୯୯, ୫୦୦ ଏବଂ ୫୦୪ରେ ଖାର୍ଗେଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଭାଜପା ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ କର୍ନାଟକର ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସର୍ପ ସହ ତୁଳନା କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହି ନ ଥିବା ସଫେଇ ଦେଇଥିଲେ।

Share