ମାନବ ଅଧିକାର କମିଶନଙ୍କୁ ଫେରାଦ ହେଲା ଭାଜପା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ଜଗତସିଂହପୁର ମୁଖ୍ୟ ହସ୍ପିଟାଲରେ ଏକ ଅମାନବୀୟ ଘଟଣା ଘଟିଛି। ଡାକ୍ତରଙ୍କ ଅବହେଳା ଯୋଗୁ ଜଗତସିଂହପୁର ଜିଲା ଏରସମା ବ୍ଲକ କଟିଜଙ୍ଗୀ ଗାଁର ଏକ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ଗତ ଜୁନ୍‌ ୩୦ରୁ ନିର୍ଲିପ୍ତ ଭୋଳ ଏବଂ ତାଙ୍କ ସ୍ତ୍ରୀ ସୁଭଦ୍ରା ସ୍ବାଇଁ ତେଲେଙ୍ଗାନାରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟେରରେ ଥିଲେ। ଗତ ୧ରେ ହଠାତ୍‌ ନିଲିପ୍ତ ଭୋଳଙ୍କ ଦେହ ଖରାପ ହେବା ଯୋଗୁ ସୁଭଦ୍ରା ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଥିଲା। ପରଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସମୟରେ ସୁଭଦ୍ରା ମେଡିକାଲ ଡ୍ୟୁଟିରେ ଥିବା ସିଡିଏମଓ ବିଜୟ ପଣ୍ଡା ଏବଂ ଡା. ଅଜୟ ସ୍ବାଇଁଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଗୁରୁତର ହୋଇଥିବା ନିର୍ଲିପ୍ତଙ୍କୁ ଚିକିତ୍ସା କରି ନ ଥିଲେ। ଚିକିତ୍ସା ଅଭାବରୁ ଦୀର୍ଘ ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମିୟମ୍ରାଣ ହୋଇ ସୁଭଦ୍ରା ମେଡିକାଲରେ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ମେଡିକାଲର ଷ୍ଟାଫ ଏହି ଘଟଣା ଦେଖିବା ପରେ ମଧ୍ୟ କେହି ତାଙ୍କୁ ଉଦ୍ଧାର କରି ନ ଥିଲେ। ପରେ ସେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଭାଜପାର ଏସସି ମୋର୍ଚ୍ଚା ସଭାପତି ବିଭୁ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

Share