ନୂଆଦିଲ୍ଲୀ,୧୧।୯: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ରାମ ମନ୍ଦିର ଉପରେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ଭାଜପା। ସୋମବାର ଭାଜପା ଏମ୍ପି ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମୁଁ କେବଳ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଥିବା ଏହି ବିରୋଧୀ ମେଣ୍ଟ ’ଇଣ୍ଡିଆ’ ଭୋଟ ପାଇଁ ଯେକୌଣସି ସ୍ତରକୁ ଯାଇପାରିବ। ସେମାନଙ୍କୁ ସତ୍ବୁଦ୍ଧି ଦେବାପାଇଁ ମୁଁ ଭଗବାନ ରାମଙ୍କୁ ପ୍ରାର୍ଥନା କରିବାକୁ ଚାହେଁ। ଏହା ଏକ ଲଜ୍ଜାଜନକ ଏବଂ ଅଶ୍ଳୀଳ ମନ୍ତବ୍ୟ। ଆମେ ଏହାକୁ ନିନ୍ଦା କରୁଛୁ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜାଲଗାଓଁରେ ଏକ ସାଧାରଣ ସଭାରେ କହିଛନ୍ତି, ଆଗାମୀ ଦିନରେ ରାମ ମନ୍ଦିର ଉଦ୍ଘାଟନ ହେବ। ଉଦ୍ଘାଟନ ପାଇଁ ଦେଶରୁ ଅନେକ ହିନ୍ଦୁଙ୍କୁ ଡକାଯିବାର ସମ୍ଭାବନା ରହିଛି ଏବଂ ସମାରୋହ ସମାପ୍ତ ହେବା ପରେ ଲୋକମାନଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ଗୋଧ୍ରା ପରି ଘଟଣା ସୃଷ୍ଟି ହୋଇପାରେ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କ୍ଷମତା ଲୋଭରେ କିଛି ଲୋକ ସେମାନଙ୍କର ଆଦର୍ଶକୁ ଭୁଲି ଯାଇଛନ୍ତି। ସନାତନ ଧର୍ମ ବିଷୟରେ ଅନେକ କଥା କୁହାଯାଉଥିବାବେଳେ ରାହୁଲ ଗାନ୍ଧୀ ଏବଂ ଉଦ୍ଧବ ଠାକରେ ମଧ୍ୟ ଗୋଟିଏ ଶବ୍ଦ ମଧ୍ୟ କହି ନାହାଁନ୍ତି।
ଫେବୃଆରୀ ୨୭, ୨୦୦୨ରେ ସାବରମତି ଏକ୍ସପ୍ରେସ ଦ୍ୱାରା ଅଯୋଧ୍ୟାରୁ ଫେରୁଥିବା କର ଲୋକଙ୍କୁ ଗୁଜରାଟର ଗୋଧ୍ରା ଷ୍ଟେଶନରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସମଗ୍ର ରାଜ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା।