Categories: ଜାତୀୟ

ଚିରାଗ ପାସୱାନଙ୍କୁ ନେଇ ଅଡୁଆରେ ଭାଜପା, ବିକଳ୍ପ ଖୋଜୁଛି ଦଳ?

ନୂଆଦିଲ୍ଲୀ,୨୦।୮: ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସଙ୍କଟମୋଚନ ସାଜିଥିବା କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅଡୁଆରେ ଭାଜପା। ନିକଟରେ ତାଙ୍କର କିଛି ବୟାନ ଭାଜପା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏସସି-ଏସଟି କୋଟା ମଧ୍ୟରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଏକ ବଡ ବେଞ୍ଚରେ ଚ୍ୟାଲେଞ୍ଜ କରିବା ବିଷୟରେ ଚିରାଗ କହିଥିଲେ। ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଚିରାଗଙ୍କ ସମର୍ଥନ ଯୋଗୁ ବିରୋଧୀ ଦଳଙ୍କ ମଧ୍ୟ ଶକ୍ତି ବୃଦ୍ଧି ପାଇଲା। ଯାହାକୁ ନେଇ ସଂସଦ ଅଧିବେଶନରେ ଦେଶରେ ସଂରକ୍ଷଣ ବ୍ୟବସ୍ଥା ପୂର୍ବପରି ଉପଲବ୍ଧ ହେବ ବୋଲି ଅଶ୍ୱିନୀ ବୈଷ୍ଣବଙ୍କୁ କହିବାକୁ ପଡିଲା।

ସେହିପରି ଚିରାଗଙ୍କ ପୁଣି ଏକ ବୟାନରେ ଭାଜପା ଅଡୁଆରେ ପଡିଲା। ସରକାରଙ୍କ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ନିଯୁକ୍ତିକୁ ଚିରାଗ ପାସୱାନ ବିରୋଧ କରିଥିଲେ। କଂଗ୍ରେସ, ଏସପି ଏବଂ ବିଏସପି ଭଳି ଦଳ ଏହି ନିଷ୍ପତ୍ତିକୁ ବିରୋଧ କରିସାରିଛନ୍ତି। ଚିରାଗଙ୍କ ସମର୍ଥନରେ ସରକାର ପୁଣି ଥରେ ଅସନ୍ତୋଷ ଅନୁଭବ କରିବାକୁ ଲାଗିଲେ। ପରିଶେଷରେ ଫଳାଫଳ ହେଲା ଯେ ମଙ୍ଗଳବାର କେନ୍ଦ୍ର ସରକାର ମଧ୍ୟ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି।

ଚିରାଗଙ୍କ ନିରନ୍ତର ସାର୍ବଜନିକ ବିବୃତ୍ତି ଯୋଗୁଁ ଏନଡିଏ, ବିଶେଷକରି ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଅସହଜ ଅନୁଭବ କରୁଛନ୍ତି। ଯେଉଁଠାରେ, ଜେଡିୟୁ ଭଳି ଦଳ ମେଣ୍ଟ ନୀତିନିୟମକୁ ପାଳନ କରୁଛି। ସେଠାରେ ଚିରାଗଙ୍କ ଗୋଟିଏ ପରେ ଗୋଟିଏ ବୟାନ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ଆରମ୍ଭ କରିଛି। ତେବେ ଚିରାଗଙ୍କ ନିରନ୍ତର ଏପରି ବୟାନକୁ ନେଇ ହାଇକମାଣ୍ଡ ମଧ୍ୟ ନାରାଜ ଅଛନ୍ତି। ଏହାର ଫଳାଫଳ ହେଉଛି ଯେ ବର୍ତ୍ତମାନ ବିହାରର ଦୁଇଟି ରାଜ୍ୟ ସଭା ଆସନ ମଧ୍ୟରୁ ଗୋଟିଏ ପାଇଁ ଏକ ବଡ଼ ଦଳିତ ଚେହେରା ଖୋଜିବା ଆରମ୍ଭ ହୋଇଛି।

Share