Categories: ଜାତୀୟ

ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୨ : ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି। ଉଭୟ ଦଳ ରାଜ୍ୟରେ ୧୦ ବର୍ଷ ଲେଖାଏଁ କ୍ଷମତାରେ ରହି କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି। ଏହି ଲୁଟ ଏପର୍ଯ୍ୟନ୍ତ ପହଞ୍ଚିଛି ଯେ ପର୍ବତ, ନଦୀ ଓ ଜଙ୍ଗଲ ନଷ୍ଟ ହୋଇଯାଇଛି। ରାଜ୍ୟ ୬୦ ହଜାର କୋଟି ଋଣ ବୋଝ ତଳେ ଦବି ହୋଇ ରହିଛି। ୨୦ ବର୍ଷ ଧରି, ବିଦ୍ୟାଳୟ ଏବଂ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଖରାପ ରହିଛି।

କଲେଜ ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇନାହିଁ ମାତ୍ର ଋଣ ବୋଝ ବଢ଼ିଛି କାହିଁକି ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। କିନ୍ତୁ ରାଜନେତାମାନେ ବିପୁଳ ଧନ ରୋଜଗାର କରି ସ୍ବିସ ବ୍ୟାଙ୍କକୁ ନେଇଯାଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଦଳ କେତେ ଆସନ ଜିତିବ? ଏହା କହିବା କଷ୍ଟକର। ନୂଆ ଦଳ ସବୁବେଳେ ଦୁର୍ବଳ ହୋଇଯାଏ। କିନ୍ତୁ ଆମେ ଜନସାଧାରଣଙ୍କଠାରୁ ଭଲ ସମର୍ଥନ ଆଶା କରୁଛୁ। ନିର୍ବାଚନରେ ଲୋକଙ୍କର ଯେଉଁ ଆଦେଶ ଆସିବ, ତାହା ଆମ ପାଇଁ ଗ୍ରହଣୀୟ ହେବ ବୋଲି ଏକ ସାକ୍ଷାତ୍‌କାରରେ କେଜ୍ରିଓ୍ବାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ଉତ୍ତରାଖଣ୍ଡର ବିକାଶ ଲାଗି ଭାଜପା ଓ କଂଗ୍ରେସର କୌଣସି ଏଜେଣ୍ଡା ନାହିଁ। କେଜ୍ରିୱାଲ କହିଛନ୍ତି ଯେ ଆମେ ଦେଇଥିବା ଗ୍ୟାରେଣ୍ଟି ହେଉଛି ଆମର ଘୋଷଣା ପତ୍ର। ଆମ୍‌ ଆଦ୍‌ମୀ ପାର୍ଟି ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ କରିବା ଲାଗି ପ୍ରତିଶ୍ରୁତି ସହିତ ଏକ ଲକ୍ଷ ବେକାରଙ୍କୁ ଚାକିରୀ, ଚାକିରୀ ନ ପାଇଥିବା ଯୁବକଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା, ମହିଳାଙ୍କୁ ଏକ ହଜାର ଟଙ୍କା, ୨୪ ଘଣ୍ଟା ବିଦ୍ୟୁତ୍‌ ଏବଂ ପିଇବା ପାଣି, ଭଲ ବିଦ୍ୟାଳୟ ଏବଂ ଡାକ୍ତରଖାନା ଆମର ଘୋଷଣା ପତ୍ରରେ ରହିଛି। ଫଟୋଗ୍ରାଫି ପାଇଁ ଭାଜପା ଏବଂ କଂଗ୍ରେସ ଘୋଷଣା ପତ୍ର ବାହାର କରନ୍ତି। ଫଟୋଗ୍ରାଫ ନେଇଥିବା ଲୋକମାନେ ନା ସାଧାରଣ ଲୋକ ଏହାକୁ କେହି ବି ପଢ଼ନ୍ତି ନାହିଁ। କେବଳ ଗୋଟିଏ ରାଜନୈତିକ ରୀତିନୀତି ଭାବେ ରହି ଆସିଛି ବୋଲି କେଜ୍ରିଓ୍ବାଲ କହିଛନ୍ତି।

Share