ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଞ୍ଚିତ କରିବାକୁ ଭାଜପାର ଷଡ଼ଯନ୍ତ୍ର: ବିଜେଡି

ଭୁବନେଶ୍ୱର,୨୨ା୭(ଅନିଲ ଦାସ): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଆହତ ହେବା ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ୫-ଟି ସ୍କୁଲରେ ନିମ୍ନମାନର କାମ ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଓଡ଼ିଶା ଭାଜପା ଯେଉଁ ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। କୌଣସି ୫-ଟି ରୂପାନ୍ତରଣ କାର୍ଯ୍ୟରେ ସ୍କୁଲ ଅଫିସ ଗୃହର ନିର୍ମାଣ ବା ମରାମତି ହୁଏ ନାହିଁ, ଯାହା ଏଠାରେ ବି ହୋଇନାହିଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୁକ୍ରବାର ଶଙ୍ଖଭବନଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, ଆମ ରାଜ୍ୟର ପିଲାମାନେ ଉନ୍ନତ ମାନର ସ୍କୁଲରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣରେ ଭଲ ଶିକ୍ଷା ପାଆନ୍ତୁ ତାହା ଓଡ଼ିଶା ଭାଜପା ଚାହୁଁନାହିଁ। ସେମାନଙ୍କୁ ୫-ଟି ଭୂତ ଘାରିଛି। ସେମାନେ ୫-ଟି ସ୍କୁଲ ରୂପାନ୍ତରଣକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ସ୍କୁଲ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି।
କେବଳ ମିଛର ସାହାରା ନେଇ ରାଜନୀତି କରିବାକୁ ଭାଜପା ନେତାଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗୁରୁବାର ଅସ୍ତରଙ୍ଗର ସେହି ସ୍କୁଲକୁ ଯାଇଥିଲା। କିଛିଦିନ ପୂର୍ବରୁ ବାହାନଗାଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟି ଯେତେବେଳେ ପ୍ରାୟ ୩୦୦ ଲୋକଙ୍କ ଜୀବନ ଚାଲିଗଲା ଏବଂ ଶହ ଶହ ଲୋକ ଆହତ ହେଲେ, ସେତେବେଳେ ଦୁର୍ଘଟଣାସ୍ଥଳକୁ ଓଡ଼ିଶା ଭାଜପାର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ କାହିଁକି ଯାଇ ନ ଥିଲା। ନିକଟରେ ପୁଣିଥରେ ବାଲେଶ୍ବର ନୀଳଗିରି ନିକଟରେ ଏକ ମେମୁ ଟ୍ରେନ୍‌ ମେନ୍‌ ଲାଇନ ଛାଡ଼ି ଲୁପ୍‌ ଲାଇନ ଚାଲିଯାଇଥିଲା। ତେବେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବାହାନଗା ଭଳି ବଡ଼ ଦୁର୍ଘଟଣା ଟଳିଗଲା। ଏଭଳି ଦୁର୍ଘଟଣା ବେଳେ ରାଜ୍ୟ ଭାଜପାର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ତଥ୍ୟ ସଂଗ୍ରହ କରିବାକୁ କାହିଁକି ଯାଉନାହିଁ। ୩ ଦିନ ତଳେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ନିକଟରେ ଗୋଟିଏ ବ୍ରିଜ୍‌ ତଳକୁ ଦବିଗଲା। ଭାଜପାର କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସେଠାକୁ କାହିଁକି ଯାଇନାହିଁ। ଏନ୍‌ଏଚ୍‌ଏଆଇ କେନ୍ଦ୍ର ସରକାରଙ୍କ ଅଧୀନ ବୋଲି ଓଡ଼ିଶା ଭାଜପାର ଟିମ୍‌ କ’ଣ ସେଠାକୁ ଗଲା ନାହିଁ ? ଏହିଭଳି ଫ୍ୟାକ୍ଟ ଫାଇଣ୍ଡିଂ ନାମରେ ସେମାନେ କେବଳ ରାଜନୀତି କରୁଛନ୍ତି। ଓଡ଼ିଶାବାସୀ ଏଭଳି ଦଳ ଆଉ ଚରିତ୍ରର ନେତାଙ୍କୁ ଭଲ ଭାବରେ ଚିହ୍ନିଛନ୍ତି। ସେମାନଙ୍କ କେବେ ବି ସଫଳ ହେବ ନାହିଁ ବୋଲି ତୁମ୍ବନାଥ କହିଛନ୍ତି।

Share