Categories: ଜାତୀୟ

ଭାଜପା-ସିପିଆଇଏମ୍‌ ମୁହାଁମୁହିଁ…

ଗୋମତି,୯।୯: ତ୍ରିପୁରାର ଗୋମତି ଜିଲା ଉଦୟପୁର ସହରରେ ଭାଜପା ଏବଂ ସିପିଆଇଏମ୍‌ ସହିତ ଜଡ଼ିତ ଥିବା ଛାତ୍ର ସଂଗଠନ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ମଧ୍ୟରେ ହିଂସକ ସଂଘର୍ଷ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଛାତ୍ର ସଂଗଠନ ପକ୍ଷରୁ ଏକ ରାଲି ହେଉଥିବା ବେଳେ ଭାଜପା କର୍ମୀଙ୍କ ସହ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଜଣେ ଭାଜପା କର୍ମୀ ଗୁରୁତର ଆହତ ହୋଇଥିବାବେଳେ ଛାତ୍ର ସଂଗଠନ ଦୁଇ ତିନିଜଣ ମଧ୍ୟ ଆହତ ହୋଇଛନ୍ତି। ହିଂସା ପରେ ଉଭୟ ଦଳ ପରସ୍ପରକୁ ଦାୟୀ କରୁଛନ୍ତି।
ହିଂସା ପରେ ସିପିଆଇଏମ ନେତା ସୀତାରାମ ୟେଚୁରୀ ଏକ ଭିଡିଓ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ କରି ହିଂସାକାଣ୍ଡ ପାଇଁ ଭାଜପାକୁ ଅଭିଯୋଗ କରିଛନ୍ତି।
ଉଦରପୁର ସଂଘର୍ଷ ପରେ ଅଗରତାଲା, ବିଶାଲଗଡ ଏବଂ କଥଲିଆରେ ଥିବା ସିପିଆଇଏମର ପାର୍ଟି ଅଫିସ ମଧ୍ୟ ଭଙ୍ଗାରୁଜା କରାଯାଇଛି। ପୂର୍ବତନ ବାମପନ୍ଥୀ ମନ୍ତ୍ରୀ ରତନ ଭୌମିକଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସଂଘର୍ଷର କିଛି ସମୟ ପରେ କୃଷି ମନ୍ତ୍ରୀ ପ୍ରଜିତ ସିଂ ରୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।
ପ୍ରଥମ ହିଂସା ପରେ ସୋମବାର ଦିନ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ତେଣୁ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ଧନପୁର ଯିବାକୁ ବାରଣ କରାଯାଇଥିଲା।
ପୋଲିସ କହିଛି ଯେ ଉଦୟପୁରରୁ ଆହତ ଭାଜପା କର୍ମୀଙ୍କୁ ଗୁରୁତର ଅବସ୍ଥାରେ ଅଗରତାଲାର ଜିବି ପନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Share