Categories: ଜାତୀୟ

ନୀତି ଆୟୋଗ ବୈଠକରେ ଯୋଗଦେଇ ନ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଭାଜପାର କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୨୭।୫ : ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଶନିବାର ନୀତି ଆୟୋଗର ଅଷ୍ଟମ ଶାସକ ପରିଷଦ ବୈଠକକୁ ବର୍ଜନ କରିଛନ୍ତି। ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କର ଏହି ନିଷ୍ପତ୍ତିକୁ ଭାଜପା କଡ଼ା ସମାଲୋଚନା କରିଛି। ଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ବିରୋଧୀ ଦଳର ନେତାମାନେ ନିଜ ନିଜ ରାଜ୍ୟବାସୀଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ଏପରି କରି ମୁଖ୍ୟମନ୍ତ୍ରୀମାନେ ନିଜ ରାଜ୍ୟର ବିକାଶକୁ ବର୍ଜନ କରିଛନ୍ତି। ବୈଠକରେ ୧୦୦ରୁ ଅଧିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଏବଂ ଯେଉଁ ରାଜ୍ୟ ପ୍ରତିନିଧିତ୍ୱ କରିବେ ନାହିଁ ସେମାନେ କ୍ଷତି ସହିବେ।

ବୈଠକକୁ ବର୍ଜନ କରିଥିବା ୮ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ପ୍ରମୁଖ ଅଛନ୍ତି।

ଏଥି ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବହୁ କଳ୍ପନାଜଳ୍ପନା ପରେ ଶୁକ୍ରବାର ବିଳମ୍ବିତ ରାତିରେ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ବୈଠକରେ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ଅର୍ଥନୀତି କରିବା ସହିତ ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଆଲୋଚନା ହେବାକୁ ଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ
ଏମଏସଏମଇ, ଭିତ୍ତିଭୂମି ଏବଂ ବିନିଯୋଗ, ମହିଳା ସଶକ୍ତିକରଣ, ସୱାସ୍ଥ୍ୟ ଏବଂ ପୁଷ୍ଟିକରତା, ଦକ୍ଷତା ବିକାଶ ଏବଂ ଗତି ଶକ୍ତି ଆଦି ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ପରିଚାଳନା ପରିଷଦ ବୈଠକରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ପ୍ରମୁଖ ବିକାଶ ସମସ୍ୟା ଚିହ୍ନଟ କରାଯିବା ସହିତ ମିଳିତ ଭାବରେ ସମାଧାନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯାଇଥାଏ। ସୂତ୍ରରୁ ପ୍ରକାଶ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ଶାସକ ପରିଷଦର ସାତୋଟି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସମାଧାନ କରାଯାଇଛି।

Share