ବର୍ଷିଲା ଭାଜପା: ବାରମିଶା ଚାଉଳରେ ମହାପ୍ରସାଦ ରାନ୍ଧି ଶ୍ରୀମନ୍ଦିର ପରମ୍ପରାକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୬।୨(ସୁନିତ୍‌ ମିଶ୍ର): ପୁରୀ ଶ୍ରୀମନ୍ଦିରରୁ ଗତ ୨ ଦିନ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି, ଯାହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ ପହଞ୍ଚାଇବା ସହ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି। ଏନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା(ଅରୁଆ/ଉଷୁନା)ଚାଉଳ କାହିଁକି ସଂଗୃହିତ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନ ଥିବା କଥା କହିଥିଲେ। ସେହି ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି। ଏହା ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହେଉଥିବାବେଳେ ହଜାର ହଜାର ବର୍ଷର ମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି। ଏତେ ବଡ ଭୁଲ୍‌ ନିଷ୍ପତି କାହା ନିର୍ଦ୍ଦେଶରେ ଏବଂ କେଉଁ ସ୍ବାର୍ଥରେ ଏବଂ କିଏ ଏବଂ କାହା ମାଧ୍ୟମରେ ନିଆଯାଇଛି ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି।

ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଦରକାର। ମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ ‘ଅର୍ପଣ ରଥ’ ମାଧ୍ୟମରେ ନିଜର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଯେଉଁଭଳି ମହାପ୍ରଭୁଙ୍କୁ ସାଧନ କରି ଚାଉଳ ଏବଂ ଦକ୍ଷିଣା ଆଦାୟ କରାଯାଇଥିଲା ସେତେବେଳେ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଶ୍ରୀମନ୍ଦିରର ଅନେକ ସେବାୟତମାନେ ଏକଥା କହିଥିଲେ ଯେ, ସଂଗୃହିତ ବାରମିଶା ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ। ନୀତି ଅନୁଯାୟୀ ମନ୍ଦିରରେ କେବଳ ଗୋଟି ଚାଉଳ ବ୍ୟବହାର କରାଯାଏ। ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଗଲା।
ଅର୍ପଣ ଯାତ୍ରାବେଳେ ଲୋକମାନେ ମନଖୋଲି ଟଙ୍କା ମଧ୍ୟ ଦାନ କରିଥିଲେ। ସେ ଟଙ୍କା କୁଆଡେ ଗଲା ବୋଲି ମନମୋହନ ପ୍ରଶ୍ନ କରିଛନ୍ତି। ଆଗାମୀ ଦିନରେ ଭାଜପା ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଲୋକଙ୍କ ପାଖକୁ ନେବ ବୋଲି ସେ କହିଛନ୍ତି।

Share