Categories: ଜାତୀୟ

ଆମ୍ବେଡ଼କରଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୪।୭ : ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ। ଏହାପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଛତ୍ରପୁରରେ ମାନବ ମଳ ଦଲିତଙ୍କୁ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ଏହା ଉପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଟୁଇଟ କରି ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଖାର୍ଜେ କହିଛନ୍ତି ବାବାସାହେବ ଆମ୍ବେଡ଼କରଙ୍କ ସ୍ବପ୍ନକୁ ଭାଜପା ଭାଙ୍ଗି ଚୁରମାର କରିଛି ।

ଏକ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ଦଳିତ-ଆଦିବାସୀଙ୍କ ଉପରେ ଅତ୍ୟାଚାରର ଦ୍ୱିତୀୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ ଘଟଣା ଘଟିଛି। ଏହା ମାନବିକତାକୁ ଲଜ୍ଜିତ କରିଛି। ଏନସିଆରବି ରିପୋର୍ଟ ୨୦୨୧ କୁ ଦର୍ଶାଇ ସେ କହିଛନ୍ତି ଭାଜପା ଶାସିତ ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅପରାଧର ସର୍ବାଧିକ ହାର ରହିଛି। ଅଧିକାଂଶ ଅପରାଧ ଆଦିବାସୀଙ୍କ ବିରୋଧରେ କରାଯାଇଛି। ପ୍ରତିଦିନ ୭ ରୁ ଅଧିକ ଅପରାଧ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଖାର୍ଗେ କହିଛନ୍ତି ମଧ୍ୟପ୍ରଦେଶର ଆମର ଦଲିତ, ଆଦିବାସୀ ତଥା ପଛୁଆ ବର୍ଗର ନାଗରିକମାନେ ଦଶନ୍ଧି ଧରି ଭାଜପାର ଖରାପ ଶାସନରେ ଜର୍ଜରିତ ହୋଇଛନ୍ତି। କେବଳ ବିଜ୍ଞାପନରେ ସୀମିତ ଥିବା ଭାଜପାର ସବକା ସାଥ ଏକ ଶୋ ସ୍ଲୋଗାନ ଏବଂ ପିଆର ଷ୍ଟଣ୍ଟରେ ପରିଣତ ହୋଇଛି। ବାବାସାହେବ ଆମ୍ବେଡକରଙ୍କ ସାମାଜିକ ନ୍ୟାୟର ସ୍ବପ୍ନକୁ ଭାଜପା ପ୍ରତିଦିନ ଭାଙ୍ଗୁଛି। ଏହି ଧାରା ଜାରି ରହିଛି। ଛତ୍ରପୁର ଜିଲାର ଏହି ଘଟଣା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଦାବି କରୁଛୁ।

Share