Categories: ଜାତୀୟ

ଜମ୍ମୁ କଶ୍ମୀର ନିର୍ବାଚନକୁ ବିଳମ୍ବ କରାଉଛି ଭାଜପା: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୯।୧: ତ୍ରିପୁରା, ମେଘାଳୟ ଓ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ବୁଧବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ମାତ୍ର ଜମ୍ମୁ କଶ୍ମୀରରେ ୨୦୧୮ରୁ ନିର୍ବାଚିତ ସରକାର ନଥିବା ବେଳେ ଏଠାରେ ନିର୍ବାଚନ କରାଇବା ଲାଗି ଭାରତର ନିର୍ବାଚନ କମିଶନ ନୁହେଁ ଭାଜପା ବିଳମ୍ବ କରାଉଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା।

ସେ କହିଛନ୍ତି, ୨୦୧୮ ମସିହାରେ ମିଳିତ ସରକାରରୁ ଭାଜପା ଓହରିଯିବା ପରେ ଜମ୍ମୁ କଶ୍ମୀର ବିଧାନସଭା ଭଙ୍ଗ ଲାଗି ତତ୍‌କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏଠାରେ ଆଉ ନିର୍ବାଚିତ ସରକାର ନାହାନ୍ତି। ଅଗଷ୍ଟ ୫,୨୦୧୯ରେ ଧାରା ୩୭୦ ଉଚ୍ଛେଦ ବେଳେ ଭାଜପା ପକ୍ଷରୁ ସର୍ବସମକ୍ଷରେ କୁହାଯାଇଥିଲା ଜମ୍ମୁ କଶ୍ମୀରରେ ଆତଙ୍କବାଦ ଶେଷ ହୋଇଛି ଏବଂ ରାଜ୍ୟର ପରିସ୍ଥିତି ସାଧାରଣ ଅବସ୍ଥାକୁ ଆସଲାଣି। ତେବେ ବର୍ତ୍ତମାନ ଅବସ୍ଥା ସୁଧୁରିଥିବାବେଳେ ଏଠାରେ ନିର୍ବାଚନ କରାଇବାରେ କାହିଁକି ବିଳମ୍ବ କରାଯାଉଛି ବୋଲି ଓମାର ପ୍ରଶ୍ନ କରିଛନ୍ତି। ଭାଜପା ଏଠାରେ ନିର୍ବାଚନକୁ ନେଇ ଭୟ କରୁଛି, କେବଳ ସୁରକ୍ଷା ପ୍ରସଙ୍ଗର ଦ୍ୱାହି ଦେଉଛି ବୋଲି ଓମାର କହିଛନ୍ତି।

Share