ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି। ଏଥିରେ ପୋଲିସ ବିଜେଡିର ହାତବାରିସି ସାଜିଥିବା ଭାଜପା ଅଭିଯୋଗ ଆଣିଛି। ନିର୍ବାଚନୀ ହିଂସାକାଣ୍ଡରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଦଳୀୟ ପ୍ରାର୍ଥୀ ଗୁରୁତର ଅଛନ୍ତି। ଏହାସତ୍ତ୍ୱେ ପୋଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏଣୁ ତୁରନ୍ତ ଆନ୍ଧ୍ରପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ପରିବର୍ତ୍ତନ କରିବା ପାଇଁ ଭାଜପା ପ୍ରତିନିଧି ଦଳ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ଦାବି କରିଛି। ଆହୁରି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଆଇନର ଉଲ୍ଲଂଘନ କରି ଘସିପୁରା ନିର୍ବାଚନମଣ୍ଡଳୀର ସରକାରୀ କର୍ମଚାରୀମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଶଂଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଧମକ ଦେଉଛନ୍ତି। ବାଟୋ ପଞ୍ଚାୟତ ପତିତପାବନ ଏସଏଚ୍‌ଜି ଗ୍ରୁପ୍‌ର ରାଶନ ସାମଗ୍ରୀ ବିତରକ ବିନୟ କୁମାର ରାଓ ବିଜେଡି ପାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କୁ ଭୋଟ ନ ଦେଲେ ରାଶନ କାର୍ଡ ବନ୍ଦ କରିଦେବାକୁ ହିତାଧିକାରୀଙ୍କୁ ଧମକ ଦେଉଛନ୍ତି। ବେଗୁନିଆପଡ଼ା ବ୍ଲକ ବ୍ରଜହରି ପଞ୍ଚାୟତ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ଅନିଲ କୁମାର ପରିଡା ଓ ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ତରି ଉଚ୍ଚ ପ୍ରାଥମିକ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ଦାସ ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଦାବି କରିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଆଦି ଜିଲାରେ ପ୍ରାୟ ୮୦ ବୁଥ୍‌ରେ ହିଂସା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨୦ରୁ ୩୦ଜଣ ବିଜେଡି ଗୁଣ୍ଡାଙ୍କ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣରେ ଭାଜପା କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଦଳୀୟ କର୍ମୀ ଆହତ ହୋଇଥିଲେ। ଗୋଷାଣୀନୂଆଗାଁ ଥାନା ଆଗରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ, ଟିଟିଲାଗଡ଼ ଭାଜପା ପ୍ରାର୍ଥୀ ନବୀନ ଜୈନଙ୍କୁ ଆକ୍ରମଣ ଘଟଣାକୁ ଭାଜପା ଆଉଥରେ ଦୋହରାଇଛି। ଆଠଗଡ଼, ଭୁବନେଶ୍ୱର, ବରଗଡ଼ରେ ବିଜେଡି କର୍ମୀମାନେ ଭାଜପା କର୍ମୀମାନଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି। ସେମାନଙ୍କୁ ଡରାଇ ଧମକାଇ ଚୁପ କରିବାକୁ ବିଜେଡି ଗୁଣ୍ଡାମାନେ ଚେଷ୍ଟା କରୁଥିବା ଭାଜପା ଅଭିଯୋଗ ଆଣିବା ସହ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

Share