Advertisement

ସୁଜାତା କାର୍ତ୍ତିକେୟନ୍‌ଙ୍କୁ ରାଜ୍ୟରୁ ଅପସାରଣ କରିବାକୁ ଭାଜପାର ଦାବି

ଭୁବନେଶ୍ୱର, ୩୦।୫(ସୁନିତ୍‌ ମିଶ୍ର)ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ନିକଟରେ ଭାଜପାର ଏକ ପ୍ରତିନିଧି ଦଳ ଫେରାଦ ହୋଇଛି। ମୁକ୍ତ ଅବାଧ ନିର୍ବାଚନ ପ୍ରକ୍ରିୟାରେ ସୁଜାତା ହସ୍ତକ୍ଷେପ କରିବା ଓ ରାଜ୍ୟରେ ନିର୍ବାଚନୀ ହିଂସାକୁ ଉସୁକାଇବା ନେଇ ସିଇସିଙ୍କୁ କେନ୍ଦ୍ରୀୟ ଭାଜପା ଟିମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ କରାଯିବା ଲାଗି ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରି ବାହାରକୁ ପଠାଯାଉ। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ସିଭିଲ ସର୍ଭାଣ୍ଟ ଡି.ଏସ୍‌. କୁଟ୍ଟେ, ଆଶିଷ କୁମାର ସିଂ ଓ ସୁଜାତା କାର୍ତ୍ତିକେୟନ୍‌ କାର୍ଯ୍ୟ କରୁଛନ୍ତି। ସୁଜାତା ହେଉଛନ୍ତି ପାଣ୍ଡିଆନଙ୍କ ସ୍ତ୍ରୀ। ଉପରୋକ୍ତ ୩ ଅଧିକାରୀ କେବଳ ସର୍ବଭାରତୀୟ ଚାକିରି ସର୍ତ୍ତାବଳୀର ଉଲ୍ଲଂଘନ କରୁନାହାନ୍ତି, ବରଂ ନିର୍ବାଚନ କମିଶନଙ୍କ ନିର୍ବାଚନ ସମ୍ବନ୍ଧୀୟ ନିୟମର ମଧ୍ୟ ଖିଲାପି କରୁଛନ୍ତି। ଏହି ୩ ଅଧିକାରୀଙ୍କ କାର୍ଯ୍ୟକଳାପ ଯେପରି ରାଜ୍ୟରେ ମୁକ୍ତ, ଅବାଧ ନିର୍ବାଚନ ବିରୋଧୀ। ସେମାନେ ହେଉଛନ୍ତି ତ୍ରିମୂର୍ତ୍ତି ବୋଲି ଦଳ ଚିଠିରେ ଦର୍ଶାଇଛି। ସୂଚନାଯୋଗ୍ୟ, ପୂର୍ବରୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ କୁଟ୍ଟେଙ୍କୁ ମଙ୍ଗଳବାର ସସ୍‌ପେଣ୍ଡ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share